No Result
View All Result
ନିମାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ଗସ୍ତରେ ବ୍ଲକ୍ ଛକଠାରେ ନିମାପଡ଼ାଠାରୁ ବଳଙ୍ଗା ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉନ୍ନତିକରଣ ପ୍ରକଳ୍ପ ୩୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପ ଦ୍ଵାରା ନିମାପଡ଼ାରୁ ବଳଙ୍ଗା ପ୍ରାୟ ୧୪ କିଲୋମିଟର ରାସ୍ତାରେ ଜନସାଧାରଣଙ୍କ ଗମନାଗମନ ସୁଗମ ହେବ ବୋଲି ସେ ଏହି ଅବସରରେ କହିଛନ୍ତି।
ଏହାପରେ ସେ ନିମାପଡ଼ା ବ୍ଲକ୍ର ସମ୍ମିଳନୀ କକ୍ଷରେ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୬୫ଟି ଉଚ୍ଚ ବିଦ୍ୟାଳୟ ଏବଂ ୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଧାନଶିକ୍ଷକମାନଙ୍କ ଉପସ୍ଥିତିରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ସହପାଠ୍ୟ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶ ଏବଂ ଶିକ୍ଷାର ମାନ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଶେଷରେ ପୂଜ୍ୟପୂଜା ପରମ୍ପରାରେ ଗୁରୁମାନଙ୍କର ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ପୂଜ୍ୟପୂଜା ସମାରୋହରେ ଶ୍ରୀମତୀ ପରିଡ଼ା ଯୋଗଦେଇଥିଲେ । ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ନିମାପଡ଼ା ଶିକ୍ଷା ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଅବଦାନ ପ୍ରତି କୃତଜ୍ଞତା ଜଣାଇବା ସହ ସେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

No Result
View All Result