No Result
View All Result
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା (ନି:ପ୍ର) :- ଋତୁ ଚକ୍ରର ତାଳରେ ତାଳ ଦେଇ ବଦଳିଥାଏ ପ୍ରକୃତିର ସୌନ୍ଦର୍ଯ୍ୟ ଯେପରି ଧରଣୀ ରାଣୀର ସୋନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିବାକୁ ଶରତ ଋତୁର ଆଗମନ ହୋଇଥାଏ । ଏହି ଧରା ଧରଣୀର ଶୋଭା ବର୍ଦ୍ଧନ କରିଥାଏ ଧଳା ଫର ଫର କାଶତଣ୍ଡି ଫୁଲ । ଧରଣୀ ରାଣୀ ଯେପରି ଶ୍ୱେତ ବସ୍ତ୍ର ପରିଧାନ କରି ସମସ୍ତ ଜଗତର ଶୋଭା ବର୍ଦ୍ଧନ କରୁଛି । ଖୋଲା ଆକାଶର ରାସ୍ତାକଡ, ଜମିହୁଡା ଠାରୁ ଆରମ୍ଭ କରି ବିଭିନ୍ନ ନଦୀ ପଠା ଗୁଡ଼ିକରେ ଏବେ ଧବଳବର୍ଣ୍ଣା କାଶତଣ୍ଡି ଫୁଲର ସମ୍ଭାର ଦେଖିବାକୁ ମିଳୁଛି ।
ପବନରେ ଦୋହଲାୟିତ କାଶତଣ୍ଡି ଫୁଲ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗଣିତ କରି ଦେଇଛି । ଧରଣୀର ଏଭଳି ସୁନ୍ଦର ରୁପକୁ ମନଭରି ଉପଭୋଗ କରିବା ପାଇଁ ରାସ୍ତାରେ ଯାଉଥିବା ବାଟୋଇଟିଏ ଦଣ୍ଡେ ଅଟକି ଯାଇ ପ୍ରକୃତି ର ଏହି ଅପରୂପା ଶୋଭାକୁ ଦେଖି ଉଲ୍ଲସିତ ହୋଇଉଠିଛି । ପ୍ରକୃତିରାଣୀର ଏହି ଅପରୂପ ଶୋଭାରାଜିକୁ ଉପଭୋଗ କରି ବାଟୋଇ ଯେପରି ହୋଇଉଠୁଛି ମତୁଆଲା । ମୋବାଇଲ କ୍ୟାମେରାରେ ତୋଳିଧରୁଛି ସୌନ୍ଦର୍ଯ୍ୟର ଏହି ଭଣ୍ଡାରକୁ ।
କାଶତଣ୍ଡୀ ଫୁଲର ସ୍ପର୍ଶରେ ଧରାପୃଷ୍ଠକୁ ଅବତରଣ କରନ୍ତି ମା ଜଗତଜନନୀ ଦୁର୍ଗା । ପ୍ରାୟତଃ ସବୁ ଅଞ୍ଚଳରେ କାଶତଣ୍ଡି ଫୁଲ ଦେଖିବାକୁ ମିଳେ, ଭୁବନେଶ୍ଵର ଠାରୁ ଖୋର୍ଦ୍ଧା ରାଜରାସ୍ତାର ଅନେକ ସ୍ଥାନରେ ଏବେ ଭରି ରହିଛି ମାଳମାଳ କାଶତଣ୍ଡୀ ଫୁଲ । ସବୁଆଡେ ଭରିଯାଇଛି ସୌନ୍ଦର୍ଯ୍ୟର ପସରା । ରାସ୍ତାରେ ଯାଉଥିବା ବାଟୋଇଙ୍କ ମନକୁ ମୋହୁଛି ଏହି କାଶତଣ୍ଡୀ ଫୁଲର ସମ୍ଭାର । ବିଶେଷ କରି ରଣପୁର ବ୍ଲକର ଜମିହୁଡ଼ା ଯିବା ରାସ୍ତାରେ ମନ୍ଦାକିନୀ ନଦୀ ପଠାରେ କାଶତଣ୍ଡୀର ଅପରୂପା ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମତୁଆଲା କରୁଛି ।
ଖାଲି ସୁନ୍ଦରତାରେ ନୁହେଁ ଔଷଧିୟ ଗୁଣରେ ବି କାଶତଣ୍ଡିର ମହତ୍ତ୍ୱ ଅନେକ ବୋଲି ପୁରାଣ ପୋଥିରେ ବର୍ଣ୍ଣିତ ଅଛି । ଶ୍ରୀ ଗଜାନନଙ୍କ ପୂଜା ପରେ କାଶତଣ୍ଡି ଫୁଲର ସମ୍ଭାର ଆରମ୍ଭ ହୁଏ ଓ ମାଁ ଦୁର୍ଗାଙ୍କ ଆଗମନରେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା କାଶତଣ୍ଡି ମାଁଙ୍କ ମେଲାଣି ପରେ ସ୍ଵତଃପ୍ରବୃତ ଭାବେ ମଉଳି ଯାଏ ବୋଲି ପୌରାଣିକ ମତ ମଧ୍ୟ ରହିଛି । କାଶତଣ୍ଡୀକୁ ଦେଖିଲେ ଶରତ ଋତୁର ଆଗମନ ଏବଂ ପାର୍ବଣ ଋତୁର ଆରମ୍ଭ ବୋଲି ସାରା ଜଗତ ଜାଣିଥାନ୍ତି ।

No Result
View All Result