No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି ।ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ସମସ୍ତ ପୌରାଞ୍ଚଳ ଓ ଗ୍ରାମ ପଞ୍ଚାୟତ ପରିକ୍ରମା କରି ଲୋକଙ୍କୁ ବଜ୍ରପାତରୁ ରକ୍ଷା ପାଇବାର ବାର୍ତ୍ତା ପ୍ରଚାର କରିବ ।
ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାଇବା, ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥା ଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସିବା, ମୋଟା ଚଦର ଛାତ ଥିବା ଗାଡି ଯଥା କାର୍, ବସ୍ ଆଦି ଯାନ ଭିତରକୁ ଚାଲିଯିବା, ଘର ଭିତରେ ଥିବା ବେଳେ ଝରକା, କବାଟ ବନ୍ଦ ରଖିବା, ମୁଣ୍ଡ ଓ ଦେହରୁ ଧାତୁ ଜିନିଷ ବାହାର କରିବା, ଯଥାସାଧ୍ୟ କମ୍ ଉଚ୍ଚତାରେ ରହିବା ।
ମୁଣ୍ଡ ବାଳ ଠିଆ ହୋଇଗଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡି ତୁରନ୍ତ ଅନ୍ୟତ୍ର ଚାଲିଯିବା, ପାଣି ଭିତରୁ କିମ୍ବା ଡଙ୍ଗା ଭିତରୁ ଯଥା ଶୀଘ୍ର କୂଳକୁ ବାହାରି ଆସିବା ଓ ନିରାପଦ ସ୍ଥାନକୁ ଚାଲିଯିବା, ବଜ୍ରପାତର ସମ୍ଭାବନା ଦେଖା ଦେଲେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରେ ନ ଛାଡ଼ି ଘର ଭିତରେ ରଖିବା ଇତ୍ୟାଦି ବିଷୟରେ ଏହି ରଥ ସଚେତନତା ବାର୍ତ୍ତା ପ୍ରଦାନ କରିବ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରକାଳୀନ ଅଧିକାରୀ ମୁନା ତୁରୁକ୍, ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଜରୁରୀକାଳୀନ ବିଭାଗ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ ।

No Result
View All Result