ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ପୁରୀ :- ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଆଇନଜୀବୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ଜୁନ୍ ୮ରୁ ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ୨୦୨୦, ମେ ୩୧ରେ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଥିଲେ । ପରେ ଅଗଷ୍ଟ ୨୯ରେ ଅନ୍ଲକ୍-୪ ନେଇ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାର କଟକଣା ଜାରି କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ଏ ସମସ୍ତ ନିୟମ ଉଲ୍ଲଂଘନ କରି ରାଜ୍ୟ ସରକାର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ଉପରେ କଟକଣା ଜାରି କରିଛନ୍ତି । ତେଣୁ ଅଗଷ୍ଟ ୩୧ର ଧର୍ମାନୁଷ୍ଠାନ ଉପରେ କଟକଣା ସଂପର୍କିତ ରାଜ୍ୟ ସରକାରଙ୍କ ନିୟମାବଳୀ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଜୁଲାଇ ୩୧ରେ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ ପ୍ରସଂଗରେ ଆବେଦନରେ ଉଲ୍ଲେଖ କରାଯିବା ସହିତ ଧର୍ମାନୁଷ୍ଠାନରେ ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ କୋଭଡି-୧୯ ନିୟମାବଳୀ ପାଳନ କରି ଦର୍ଶନ ପାଇଁ ଅନୁମତି ଦେଇ ହେବ ବୋଲି ଦର୍ଶାଯାଇଛି । ୨୦୨୦, ଅଗଷ୍ଟ ୧୦ରେ ହାଇକୋର୍ଟ ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ । କିନ୍ତୁ ଏହି ନିର୍ଦ୍ଦେଶ ପାଳନ କରାଯାଇ ନାହିଁ ।
ଅନ୍ୟପକ୍ଷରେ ରାଜ୍ୟ ସରକାର ବିନା କାରଣରେ ନିୟମ ଉଲ୍ଲଂଘନ କରି ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖିଛନ୍ତି । ଦୋକାନ, ହୋଟେଲ, ସପିଂ ମଲ୍, ଫିଟନେସ୍ ସେଣ୍ଟର, ଜିମ୍, ଯୋଗ କେନ୍ଦ୍ର, ମଦ ଦୋକାନ, ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବାବେଳେ ସର୍ବସାଧାରଣଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବାରେ କେଉଁଠି ଅସୁବିଧା ରହିଲା ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ପୁରୀ ସହର କଣ୍ଟେନମେଣ୍ଟ ଜୋନ୍ ହୋଇ ନଥିବା ବେଳେ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲାପାଳ, ଏସପି, ଦେବୋତ୍ତର କମିସନର, ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି ।