ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ରାଜଧାନୀ :- ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପୁଲିସ ଡିଜି ଶ୍ରୀ ୱାଇ ବି ଖୁରାନିଆ,
ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଅନ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ନିମନ୍ତେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଆଜିର ଦିନ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ ।
ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ୱାଧୀନତା ବିଷୟରେ ସଚେତନ କରିବା ସହିତ ଦେଶର ଏକତା ଓ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ସ୍ମରଣ କରାଇ ଥାଏ । ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି । ଗତ ଏପ୍ରିଲ ୨୨ ତାରିଖର ପହଲଗାମଠାରେ ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ ଆକ୍ରମଣ ଥିଲା ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ ଜରିଆରେ ତା’ର ଉପଯୁକ୍ତ ଜବାବ୍ ଦେଇଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ସମ୍ମାନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଗତ ଚଉଦ ମାସ ହେବ ଓଡିଶା ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି । ମହିଳା, ଅନ୍ନଦାତା, ଗରିବ ଏବଂ ଯୁବବର୍ଗଙ୍କ ସହଯୋଗରେ ଏହାର ସଫଳ ରୂପାୟନ ପାଇଁ ସରକାର ଜୀବନଜୀବିକା,
ଭିତ୍ତିଭୂମି, ସାମାଜିକ ବିକାଶ ଓ ସଶକ୍ତି କରଣ ଏବଂ ଓଡିଆ ଅସ୍ମିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି । କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆ ଯାଉଛି । ଜୀବନଜୀବିକାର ଆଉ ଏକ ଦିଗ ହେଉଛି ଶିଳ୍ପାୟନ । ଆମ ସରକାର ଆସିବା ପରେ ଶିଳ୍ପନୀତିରେ ଆମୂଳଚୁଳ ପରିବର୍ତ୍ତନ କରାଯାଇ ପୁଞ୍ଜିବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସହିତ ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି ।
ସଂଗଠିତ ଅପରାଧ ଉପରେ ସ୍ୱତନ୍ତ୍ର ଆଇନ ଅଣାଯିବା ସହ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ । ଓଡ଼ିଶାରେ ଆଗାମୀ ଦଶନ୍ଧି ପାଇଁ ସେ ସରକାରଙ୍କ ଦୃଷ୍ଟିକୋଣର ରୂପରେଖ ଦେଇ କହିଲେ ଯେ ରାଜ୍ୟ ୨୦୩୬ ସୁଦ୍ଧା ଭାରତର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତିରେ ପ୍ରବେଶ କରିବାକୁ ଯାଉଛି । ଓଡ଼ିଶାକୁ ଏକ ଔଷଧ କେନ୍ଦ୍ର ଏବଂ ସେମିକଣ୍ଡକଫର ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ରୂପେ ପରିଗଣିତ କରାଯିବା ସହ ୩.୫ ଲକ୍ଷରୁ ଅଧିକ ନିଯୁକ୍ତିସୁଯୋଗ ସୃଷ୍ଟି କରାଯିବ ।
ମହିଳା ବିରୋଧୀ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ଗ୍ରହଣ କରାଯାଇ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଦ୍ରୁତ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି । ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଲାଗୁ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି କ୍ଷେତ୍ରରେ ପ୍ରାରମ୍ଭିକ ୬୫,୦୦୦ ଲକ୍ଷ୍ୟକୁ ଅତିକ୍ରମ କରି ଏବେ ଦୁଇ ବର୍ଷ ମଧ୍ୟରେ ୮୫,୦୦୦ ସରକାରୀ ପଦବୀ ପୂରଣ ହେବାକୁ ଯାଉଛି । ଭୋକାଲ୍ ଫର୍ ଲୋକାଲ୍କୁ ସମର୍ଥନ କରି ସପ୍ତାହରେ ଅତି କମରେ ଥରେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ସେ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ ।
ଏସଓଜି ଚନ୍ଦକା, ଆନ୍ଧ୍ରପ୍ରଦେଶ ସଶସ୍ତ୍ର ପୁଲିସ ବାହିନୀ, ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ, ରେଡ୍କ୍ରସ ପ୍ରଭୃତି ଯୋଗଦେଇଥିଲେ । ଭାରତୀୟ ପୋଲିସ ସେବା ଅଧିକାରୀ ଅନନ୍ୟା ଅବସ୍ଥି ପ୍ୟାରେଡ୍ ପରିଚାଳନା କରିଥିଲେ । ୨୦୨୫ ଜାନୁଆରୀ ୨୬ରେ ଅନୁଷ୍ଠିତ ପରେଡ୍ରେ ଭାଗ ନେଇଥିବା ପ୍ଲାଟୁନମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ଲାଟୁନମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିଲେ ।
ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ଶ୍ରେଷ୍ଠ ରାଜ୍ୟ ସଶସ୍ତ୍ର ପ୍ଲାଟୁନ୍ ଭାବେ ଭୁବନେଶ୍ୱର ଚନ୍ଦକାର ଏସ୍ଓଜି, ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ଏନସିସି ବାଳକ ଓ ବାଳିକା ପ୍ଲାଟୁନ, ଶ୍ରେଷ୍ଠ କନିଷ୍ଠ ଏନ୍ସିସି ବିଭାଗରେ ସୈନିକ ସ୍କୁଲ ଭୁବନେଶ୍ୱର ଓ ଶ୍ରେଷ୍ଠ ଅଣ-ଏନ୍ସିିସି ସ୍କୁଲରେ ବାଳକ ବିଭାଗରେ ବିଜେଇଏମ୍ ସ୍କୁଲ, କଳ୍ପନା ଛକ ଓ ବାଳିକା ବିଭାଗରେ ବିଜେଇଏମ୍ ସ୍କୁଲ, ଭୁବନେଶ୍ୱର, ଶ୍ରେଷ୍ଠ ସ୍କୁଲ ବ୍ୟାଣ୍ଡରେ କ୍ୟାପିଟାଲ୍ ଗାର୍ଲସ୍ ହାଇସ୍କୁଲ,
ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ସମାପ୍ତ ହେବା ପରେ ପ୍ୟାରେଡ୍ କମାଣ୍ଡର କ୍ୱାମୀନାରା ଓ ଜୟହିନ୍ଦ୍ର ଧ୍ୱନୀ ଦେଇଥିଲେ । ଉତ୍ସବସ୍ଥଳରୁ ସମସ୍ତ ପ୍ୟାରେଡ୍ ଦଳ ପ୍ରସ୍ଥାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ମଞ୍ଚରୁ ପ୍ରସ୍ଥାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ଏବଂ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍ବୀର ସିଂହ ତଥା ବିଭାଗର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଆ ଅସ୍ମିତାର ନିଦର୍ଶନ ରୂପେ ଉତ୍ସବସ୍ଥଳକୁ ବରପୁତ୍ରମାନଙ୍କର ଫଟୋଚିତ୍ରରେ ସୁସଜ୍ଜିତ କରାଯାଇଥିଲା । ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ରୋଜାଲିନ୍ ସାହୁ ଓ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।

© 2023 Odisha Taza News.