କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ରାଷ୍ଟ୍ରୀୟ ଏକତାକୁ ସୁଦୃଢ କରିବାରେ ତ୍ରିରଙ୍ଗା ଶୋଭାଯାତ୍ରା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କଟକ ସଦର ନିର୍ବାଚନମଣ୍ଡଳୀର ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ଯ୍ୟନ୍ତ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଯାଇଥିଲେ ।

ଭାରତକୁ ସ୍ୱାଧୀନତା କରିବାରେ ଯେଉଁ ମହାନ ସଂଗ୍ରାମୀ ମାନେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କୁ ମନେ ପକାଇବା ପାଇଁ , ଦେଶବ୍ୟାପୀ ଚଳିତ ମାସରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ । ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଛକଠାରୁ ଏକ ଖୋଲା ଜିପ୍ରେ ଚଢି ହାତରେ ଜାତୀୟ ପତାକା ଧରି ଏହି ଶୋଭାଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ସହିତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମଧ୍ୟ ଖୋଲା ଜିପରେ ଯାଇଥିଲେ ।

ଶହ ଶହ ବ୍ୟକ୍ତି ବାଇକ ଚଳାଇବା ସହ ହାତରେ ଜାତୀୟ ପତାକା ଧରି ଭାରତ୍ ମାତା କି ଜୟ ଧ୍ୱନୀ କରି ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ମହିଳାମାନେ ପୁଷ୍ପ ଓ ଦୀପ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ବନ୍ଦାପନା କରିଥିଲେ । ତ୍ରିରଙ୍ଗା ଶୋଭାଯାତ୍ରା ଶେଷରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତ୍ତିରଖି କହିଥିଲେ ଯେ, ଆମ ଜାତୀୟ ପତାକା ତ୍ରିରଙ୍ଗା ହେଉଛି ଆମ ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ।















