ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :– ଖରିଫ୍ ବିପଣନ ଋତୁରେ ମୂଲ୍ୟ ସହାୟକ ଯୋଜନାରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ୧୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ଖରିଫ୍ ଧାନ ସଂଗ୍ରହ ପାଇଁ ଅଦ୍ୟାବଧି ମୋଟ ୧୪ ଲକ୍ଷ ୨ ହଜାର ୨୦୫ ଜଣ ଚାଷୀ ଅନ୍ଲାଇନ୍ ଜରିଆରେ ସେମାନଙ୍କ ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ୨୦୧୯-୨୦ ଖରିଫ୍ ଧାନ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ । କୋଭିଡ୍-୧୯ ସ୍ଥିତିରେ ସରକାରଙ୍କ ସମସ୍ତ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ଅନୁପାଳନ କରି ବିଭାଗ ଦ୍ୱାରା ପ୍ୟାକ୍ସ ଓ ଲ୍ୟାମ୍ପସ୍ ମାଧ୍ୟମରେ ଚାଷୀ ନାମ ପଂଜୀକରଣ କାର୍ଯ୍ୟ ସୁରୁଖୁରୁରେ କରାଯାଇପାରିଛି ଏବଂ ଗତବର୍ଷ ତୁଳନାରେ ୧ ଲକ୍ଷ ୬୬ ହଜାର ୨୯୭ ଜଣ ଅଧିକ ଚାଷୀ ସେମାନଙ୍କ ଖରିଫ୍ ଧାନ ବିକିବା ନିମନ୍ତେ ନାମ ପଂଜୀକରଣ କରିଥିବାରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ କୃଷକ ଭାଇ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ରାଜ୍ୟର ୩୦ଟି ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ୨୮୫୨ଟି ପ୍ୟାକ୍ସ ଜରିଆରେ ନାମ ପଂଜୀକରଣ କାର୍ଯ୍ୟ କରାଯାଉଛି । ୨୦୨୦-୨୧ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ରାଜ୍ୟର ପ୍ରାୟ ପ୍ରତିଟି ଜିଲ୍ଲାରେ ଗତବର୍ଷ ତୁଳନାରେ ନାମ ପଂଜୀକରଣ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ନୂଆପଡ଼ା ଜିଲ୍ଲାରେ ଉଲ୍ଲେଖନୀୟ ୩୫ ପ୍ରତିଶତ ବୃଦ୍ଧିପାଇଛି । ଏତଦ୍ବ୍ୟତୀତ ବଲାଙ୍ଗୀର ଓ ଯାଜପୁର ଜିଲ୍ଲାରେ ୨୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ୨୮ ପ୍ରତିଶତ, ଝାରସୁଗୁଡ଼ାରେ ୨୩ ପ୍ରତିଶତ, ଦେବଗଡ଼ରେ ୨୨ ପ୍ରତିଶତ, ଭଦ୍ରଖରେ ୨୦ ପ୍ରତିଶତ, ଢେଙ୍କାନାଳରେ ୧୯ ପ୍ରତିଶତ, ଅନୁଗୋଳ, ଜଗତସିଂହପୁର ଓ କୋରାପୁଟରେ ୧୮ ପ୍ରତିଶତ ଲେଖାଏଁ ନାମ ପଂଜୀକରଣ ବୃଦ୍ଧି ପାଇଛି । ସେହିପରି କଟକ ଜିଲ୍ଲାରେ ଚାଷୀ ନାମ ପଂଜୀକରଣ ୧୭ ପ୍ରତିଶତ, ସମ୍ବଲପୁରରେ ୧୬ ପ୍ରତିଶତ, ବାଲେଶ୍ୱର ୧୫ ପ୍ରତିଶତ, ବରଗଡ଼ରେ ୧୫ ପ୍ରତିଶତ ଏବଂ ସୁନ୍ଦରଗଡ଼ରେ ୧୩ ପ୍ରତିଶତ ବୃଦ୍ଧି ପାଇଛି ।