ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଅଟଳ ଯୁବ ବାହିନୀ ଗଞ୍ଜାମ ଜିଲ୍ଲା ପକ୍ଷରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉତ୍ସାହର ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଗୁରୁବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ସଂଯୋଜକ ରାକେଶ ରଥଙ୍କ ନେତୃତ୍ବରେ ବୁରୁପଡା ସ୍ଥିତ ମା ଶ୍ୟାମଳାଇଙ୍କ ପୀଠ ପରିସରରେ ବୃକ୍ଷ ରୋପଣ, ରକ୍ଷା ବନ୍ଧନ ଓ ବନ୍ଧୁ ମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଆଜିର ଯୁବ ପୀଢି ପ୍ରକୃତି ସେବା ଓ ସଂସ୍କୃତି ସୁରକ୍ଷା ଠାରୁ ଦୂରେଇ ଯାଉଥିବା ବେଳେ ସମସ୍ତଙ୍କୁ ଏକତ୍ର କରିବା ସହ ସରକାରଙ୍କର ବିହିତ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକ୍ଷମ କରାଇ ସମାନ୍ତରାଳ ଭାବରେ ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଅଟଳ ଯୁବ ବାହିନୀ ଅଣ୍ଟା ଭିଡ଼ିଛି ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ ।

ଏହା ସହିତ ଅଟଳ ଯୁବବାହିନୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ସଂଗଠନର ଲକ୍ଷ୍ୟ ସାଧନ ଓ ଆଭିମୁଖ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଆଗକୁ ଓଡ଼ିଶାର ଗଣପର୍ବ ରକ୍ଷା ବନ୍ଧନ ଅବସରରେ ସମସ୍ତେ ରକ୍ଷା ସୂତ୍ରରେ ବନ୍ଧିତ ହୋଇ ବୃକ୍ଷ ରୋପଣ ପରି ମହତ କାର୍ଯ୍ୟ ସହ ଅନେକ ସମାଜ ସେବା ଭିତ୍ତିକ କାର୍ଯ୍ୟରେ ବ୍ରତୀ ରହିବାକୁ ଶପଥ ନେଇଥିଲେ। କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପାଣିଗ୍ରାହି, ସୁଧାଂଶୁ ସାବତ, ଇ.ଅନ୍ତର୍ଯ୍ୟାମୀ ପାତ୍ର,ଉଦୟନାଥ ପ୍ରଧାନ ଓ ନୟନ ମଳିକ, ମାଧବ ଗୌଡ ପ୍ରମୁଖ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଓ ଅଟଳ ଯୁବବାହିନୀର ଶତାଧିକ ନୂତନ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ପରିଶେଷରେ ଓଡ଼ିଶା ସରକାରଙ୍କ ମାନ୍ୟବର ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଅଟଳ ଯୁବ ଶକ୍ତିର ଆହ୍ବାନ ଓ ସଂଗଠନର ପରିକଳ୍ପନା ନିମନ୍ତେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।













