ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣ ମାସର ପୂର୍ଣ୍ଣିମାରେ ପବିତ୍ର ରକ୍ଷା ବନ୍ଧନ । ମହାପ୍ରଭୁଙ୍କ ମାନବୀୟଲୀଳା ମଧ୍ଯରେ ରକ୍ଷା ବନ୍ଧନ ଅନ୍ଯନ ପର୍ବ ।ଶ୍ରୀମନ୍ଦିର ରୀତିନୀତି ଅନୁଯାଇ ବଡଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଦେବୀ ସୁଭଦ୍ରାଙ୍କ ଠାରୁ ରାଖୀ ପିନ୍ଧିବେ । ଏଥିପାଇଁ ପାଟରା ବିଶୋଇ ସେବକ ମାନେ ରାଖୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନାଲି, ନେଳୀ, ହଳଦିଆ ଓ ବାଇଗଣୀ ରଙ୍ଗର ରାକ୍ଷୀ ପିନ୍ଧିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତା ଶନିବାର ପବିତ୍ର ଗହ୍ମା ପୁନେଁଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ଲୋଡିବେ ଦେବୀ ମା ସୁଭଦ୍ରା ।

ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନକୁ ଗହ୍ମା ପୁନେଁଇରେ ଦର୍ଶନ କରି ନିଜକୁ ଧନ୍ୟ ମଣିବେ ଭକ୍ତ। ଗତ ଚିତାଲାଗି ଅମାବାସ୍ୟା ଠାରୁ ମହାପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରୁଥିବା ସ୍ଵତନ୍ତ୍ର ସେବକ ପାଟରା ବିଷୋୟୀ ସେବକ ନିଜ ବାସଗୃହରେ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ବିଧି ମୁତାବକ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି। ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆ ମାଳ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ସେହିପରି ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହେବ।ରାକ୍ଷୀ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଶୋଇ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟ ଯୋଗାଇ ଦିଆଯାଏ । ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ସୁଖାଯାଇଥାଏ ।














