ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଖୀ ପୂର୍ଣ୍ଣିମା ଓଡ଼ିଶାର ଏକା ଜନପ୍ରିୟ ହିନ୍ଦୁ ପର୍ବ । ଶ୍ରାବଣ ମାସ ପୂର୍ଣ୍ଣମୀକୁ ରାଖୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଭାଇ ଓ ଭଉଣୀଙ୍କ ମଧ୍ଯରେ ସମ୍ପର୍କ ସୁଦୃଢ ପାଇଁ ରାଖୀ ଏକ ମାଧ୍ୟମ । ମହାଲକ୍ଷ୍ମୀ ଶ୍ରାବଣ ପୂର୍ଣ୍ଣିମୀରେ ବଳି ହାତରେ ରାଖୀ ବାନ୍ଧିଥିବା ପୁରାଣରେ କଥିତ ଅଛି । ରାଖୀ ପୂର୍ଣ୍ଣିମା ଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ । ଶ୍ରୀମନ୍ଦିର ଦେବୀ ସୁଭଦ୍ରା ମଧ୍ଯ ବଡଭାଇ ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାଖୀ ବାନ୍ଧିବେ । ଚଳିତମାସ ୯ ତାରିଖରେ ପବିତ୍ର ରାଖୀ ପୂର୍ଣ୍ଣିମା । ଏଥିପାଇଁ ପୁରୀରେ ରାଖୀ ଷ୍ଟଲ ଚଳଚଞ୍ଚଳ ହୋଇପଡିଛି ।

ଭଉଣୀ ରାଖୀ କିଣି ଭାଇ ହାତରେ ବାନ୍ଧିବ । ରାଖୀ କିଣିବା ପାଇଁ ଭଉଣୀ ମାନେ ବଡଦାଣ୍ଡ ଓ ସାହି ଗଳିକନ୍ଦିରେ ରାଖୀ ଷ୍ଟଲରେ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ପାଇଁ କିଡ୍ସ ରାଖୀ ଚଳିତବର୍ଷ ଆକର୍ଷଣୀୟ ହୋଇଛି । ଚଳିତବର୍ଷ ଫେନସୀ ରାଖୀର ଶେଷ ଡିଜାଇନ ସୁନ୍ଦର ହେବା ସହିତ ଦୁଇଶହ ଟଙ୍କାରେ ବିକ୍ରି ହେଉଛି । ଶ୍ରୀଜଗନ୍ନାଥଙ୍କ ରାଖୀ ବେଶ ଚାହିଦା ରହିଛି । ସାଧାସିଧା ରାଖୀ ଭାବେ ତୁଳୀ ରାଖୀ ବିକ୍ରି ହେଉଛି । ଷ୍ଟୋନ ଖଚିତ ବିଭିନ୍ନ ଡିଜାଇନର ରାଖୀ ଷ୍ଟଲର ବିଦ୍ୟୁତ ଆଲୋକରେ ଝଲମଲ କରୁଛି । ରାମ ରାଖୀ, ଭାଇ ରାଖୀ, ବ୍ରୋ ରାଖୀ, ଭାଇ ଭଉଣୀ ଲେଖା ଥିବା ରାଖୀ,ବଦର ସିଷ୍ଟର ଲେଖା ଥିବା ରାଖୀ, ଲଙ୍ଗ ଲିଭ ମାଇଁ ବଦର ଲେଖା ଥିବା ରାଖୀ, ବେଷ୍ଟ ଇଜ ମାଇଁ ବଦର ଲେଖା ଥିବା ରାଖୀ,
ଗଣେଶ ରାଖୀ, ରୁଦ୍ରାକ୍ଷ ରାଖୀ ଆଦି ୫ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରାଖୀ ବିକ୍ରି ହେଉଛି ବୋଲି ବଳଗଣ୍ଡି ମାଜଣା ଜାଗା ନିକଟ ରାଖୀ ଷ୍ଟଲ ଖୋଲିଥିବା ବିଶ୍ବନାଥ ଦାସ କହିଛନ୍ତି । ସେହିପରି ମାର୍କେଟ ଛକ, ନରେନ୍ଦ୍ର କୋଣ, ନାୟକପ୍ଲାଜା, ବଳଗଣ୍ଡି, ମେଡିକାଲ ଛକ, ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅନେକ ରାଖୀ ଷ୍ଟଲ ଖୋଲିଛି । ମାଟିଆପଡା ଛକ, ରେଳ ଫାଟକ, ସିଦ୍ଧମହାବୀର ଛକ, ବାଲିଘାଟ, ଗୋପାଳପୁର ଛକ,ପେଣ୍ଠକଟା, ଓମେନ୍ସ କଲେଜ ଛକ, ମୋଚିସାହି ଛକ, କଲେଜ ଛକ ଓ ସାହିଗଳି କନ୍ଦିରେ ବିଭିନ୍ନ କିସମର ରାଖୀ ଷ୍ଟଲରେ ଭିଡ ଲାଗିଥିବା ଦେଖିବାକୁ ମିଳିଛି ।














