
ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ବିଧାନସଭା,ଭୁବନେଶ୍ୱର :– ବାଚସ୍ପତିଙ୍କ ପ୍ରକୋଷ୍ଠରେ ଷୋଡ଼ଶ ବିଧାନସଭାର ୪ର୍ଥ ଅଧିବେଶନ ପୂର୍ବରୁ ମାନ୍ୟବର ବିଧାୟକ/ବିଧାୟିକାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ କୋଭିଡ୍-୧୯ ପରୀକ୍ଷଣ ସଂପର୍କିତ ଏକ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ପ୍ରକାରେ, ଆଗାମୀ ଅଧିବେଶନର ଦୁଇଦନି ପୂର୍ବରୁ ସମସ୍ତ ବିଧାୟକ/ବିଧାୟିକା, ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର କୋଭିଡ୍-୧୯ ପାଇଁ ଆର୍ଟି- ପିସିଆର୍ ପରୀକ୍ଷା ହେବ । ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ପୁଣିଥରେ ଏହି ପରୀକ୍ଷା କରାଯିବ । ପରୀକ୍ଷାରେ ନେଗେଟିଭ୍ ଆସିଥିବା ବ୍ୟକ୍ତିମାନଙ୍କୁ କେବଳ ବିଧାନସୌଧକୁ ପ୍ରବେଶ ଅନୁମତି ମିଳିବ । ଆବଶ୍ୟକସ୍ଥଳେ ଅଧିବେଶନ ସମୟରେ ଆଣ୍ଟିଜେନ୍ ଟେଷ୍ଟର ବ୍ୟବସ୍ଥା ରହିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ଏହି ପରୀକ୍ଷା ପାଇଁ ଯଥେଷ୍ଟ ପୂର୍ବରୁ ବ୍ୟବସ୍ଥା କରିବେ । ଅଧିବେଶନର ଦୁଇଦି ପୂର୍ବରୁ ଆରମ୍ଭ କରି ଅଧିବେଶନ ଶେଷ ପର୍ଯ୍ୟନ୍ତ ବିଧାୟକ/ବିଧାୟିକାମାନେ ଗୃହ ସଙ୍ଗରୋଧରେ ରହିବା ଓ ଅନ୍ୟମାନଙ୍କ ସହିତ ମିଳାମିଶା ନକରିବା ପାଇଁ ବିଧାନସଭା ପକ୍ଷରୁ ଅନୁରୋଧ କରାଯିବ । ୬୦ ବର୍ଷ ବୟସରୁ ଊଦ୍ଧ୍ୱର୍ ବିଧାୟକ/ବିଧାୟିକା ମାନେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅଧିବେଶନରେ ଅଂଶଗ୍ରହଣ କରିପାରିବେ । କିନ୍ତୁ ଏଥି ନିମନ୍ତେ ସେମାନ ଙ୍କୁ ଯଥେଷ୍ଟ ପୂର୍ବରୁ ବିଧାନ ସଭା ସଚିବାଳ ୟକୁ ଜଣାଇବାକୁ ପଡ଼ିବ ।

ବିଧାୟକ / ବିଧାୟିକା ଓ ସଂପୃକ୍ତ ବିଧାନସଭା କର୍ମଚାରୀଙ୍କୁ ଆବଶ୍ୟକୀୟ ଫେସ୍ସିଲ, ମାସ୍କ, ହ୍ୟାଣ୍ଡଗ୍ଲୋଭସ୍ ଓ ହ୍ୟାଣ୍ଡ ସାନିଟାଇଜର ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଥିଲା । ଉକ୍ତ ବୈଠକରେ ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଯୋଗ ଦେଇଥିଲେ ।














