No Result
View All Result
କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ଖରିଫ୍ ଋତୁର ପ୍ରାରମ୍ଭରେ ଭଲ ବର୍ଷା ହେବାଯୋଗୁଁ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ମୁସ୍କୁଟି, କର୍ମେଗାଁ, ଗିଗିନା, ଟକର୍ଲା ,ଭୀମକେଲା, ରୁପ୍ରାରୋଡ,ମାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧିନ ସମସ୍ତ ଗ୍ରାମରେ ଚାଷୀ ମାନେ ତତ୍ପରତା ସହ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ସେହିପରି ଧାନ ବୁଣାବୁଣି କରିବା ସହିତ ଧାନପଲା ପକାଇ ଥିଲେ । ସେହିପରି ଅର୍ଥକାରୀ ଫସଲ ଭାବରେ କପାଚାଷ ସହିତ ମକା ଓ ହରଡ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତି ଶେଷ ହୋଇଥିଲା ।
ଏହିସବୁ ଅଞ୍ଚଳ ଅଣଜଳସେଚିତ ହୋଇଥିବା ବେଳେ ଇନ୍ଦ୍ର ଦେବତାଙ୍କ କୃପାହେଲେ ଚାଷ ହୋଇଥାଏ । ତେବେ ଧାନ ବୁଣିବାର ଦୁଇମାସ ପରେ ମଧ୍ୟ ଭଲ ବର୍ଷା ନହେବା ଯୋଗୁଁ ବୁଣା ହୋଇଥିବା ଧାନ ବେଉଷଣ ହୋଇନପାରି ଗଛ ବୁଢା ହେବା ସହ ହଳଦିଆ ଦେଖା ଯାଉଛି । ସ୍ୱଳ୍ପବୃଷ୍ଟି ଯୋଗୁଁ ଧାନ ଜମିରେ ଅନାବନା ଘାସ ମାଡି ଯାଇଛି । ତେବେ ସ୍ୱଳ୍ପବୃଷ୍ଟି ଯୋଗୁଁ କପା, ମକା ଓ ହରଡ ଫସଲ ଠିକ୍ ଥିବା ବେଳେ ଧାନ ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୨୦ ପ୍ରତିଶତ ଜମିରେ ଧାନ ରୁଆ ଓ ବେଉଷଣ ହୋଇଥିବା ଜଣାପଡ଼ିଛି ।
ଏଥିପାଇଁ ଚାଷୀ କୂଳ ଭଲ ବର୍ଷା ଆଶାରେ ଆଧ୍ୟାତ୍ମିକ ଭରସାରେ ରହି ଇନ୍ଦ୍ରପୂଜାର ଆୟୋଜନ କରୁଥିବା ଦେଖାଯାଏ । ରୁପ୍ରା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ପୁରାଣ ପାଠ ଓ ‘ଇନ୍ଦ୍ରପୂଜା’ ବୁଧବାର ସକାଳୁ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଥିବା ବେଳେ ରୁପ୍ରା (ଖମ୍ୱପଡା) ଶ୍ରୀ ବିଶେଶ୍ୱର ଶୈବପୀଠ ଠାରେ ଧ୍ୟାନମଗ୍ନରେ ଥିବା ଋଷ୍ୟଶୃଙ୍ଗ ଋଷିଙ୍କୁ ଆଣିବା ନିମନ୍ତେ ଶ୍ରଦ୍ଧାଳୁ ମାନେ ଯାଇଥିଲେ । ସେଠାରୁ ଋଷ୍ୟଶୃଙ୍ଗ ଋଷି ଆସି ଘୃତ ଆହୁତି ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପୂଜକ ଭାବରେ ପଣ୍ଡିତ ବୃନ୍ଦାବନ ମିଶ୍ର ଓ ଆଦିତ୍ୟ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜାକର୍ତ୍ତା ଭାବରେ ସମାଜସେବୀ ପ୍ରିୟରଞ୍ଜନ ବେହେରା ଦାୟିତ୍ବ ନିର୍ବାହ କରିଥିଲେ । ଋଷ୍ୟଶୃଙ୍ଗ ଋଷି ଭାବରେ ରଜନୀକାନ୍ତ ମିଶ୍ର ରହିଥିଲେ । ଜଗନ୍ନାଥ ମନ୍ଦିର ପୂଜକ ବିନୋଦ ବିହାରୀ ମିଶ୍ର ପୁରାଣ ପାଠ କରିଥିଲେ । ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମହେଶ୍ୱର ସାହୁ, ସମ୍ପାଦକ ଗୌରଚନ୍ଦ୍ର ଭୋଇ ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡଙ୍କ ସମେତ ଗ୍ରାମବାସୀ ଓ ମହିଳା ମାନେ ସହଯୋଗ କରିଥିଲେ ।

No Result
View All Result