ଗଣିଆ (ଓଡ଼ିଶା ତାଜା ନ୍ୟୁଜ୍ ) :- ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଲେ । ଭୋଟ ପରେ କଥା ବଦଳେଇ ୮୦ ବର୍ଷ ପରେ ୩୫୦୦ ଟଙ୍କା ଭତ୍ତା ଦେବେ ବୋଲି କହିଲେ ଏବେ କିନ୍ତୁ ୮୦ ବର୍ଷ ପରେ ବି ମିଳୁନି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା । ବ୍ଳକ ଅଫିସ ଧାଇଁ ଧାଇଁ ଚପଲ ସରିଗଲାଣି । ଗଣିଆ ବ୍ଳକ ବଡ଼ସିଲିଙ୍ଗା ପଞ୍ଚାୟତ ସେନେପେରୀ ଗ୍ରାମର ଗୁରୁଦେବ ନାୟକ ଏବଂ ତାଙ୍କ ପତ୍ନୀ ଭଗବତୀ ନାୟକଙ୍କୁ ନେଇ ତାଙ୍କ ପରିବାର ।

ପୁଅଟିଏ ଥିଲା ଯେ ତାକୁ ଗୁଣି ଗାରେଡ଼ି କରି ମାରିଦେଲେ । ଏବେ ବୁଢ଼ାବୁଢ଼ୀ ନିଃସନ୍ତାନ, ଅସହାୟ ଜୀବନ ଅତିବାହିତ କରୁଛନ୍ତି । ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଦମ୍ପତିଙ୍କ ଜୀବନ । ଦିନରେ ସୂର୍ଯ୍ୟଙ୍କ କିରଣ ଏବଂ ରାତିରେ ଚନ୍ଦ୍ରାଲୋକ ପଡୁଛି ଘର ଭିତରେ । ଦୀର୍ଘଦିନ ହେବ ଚାଳ ଛପର ନହୋଇ ଘର ଭିତରେ ବର୍ଷା ହେଲେ ଗଦଗଦ ହୋଇ ପାଣି ବର୍ଷୁଛି । ଅତ୍ୟନ୍ତ ବିପଦପୂର୍ଣ୍ଣ ଘରେ ବାସ କରୁଛନ୍ତି ।
ସରକାର ସମସ୍ତଙ୍କୁ ପକ୍କା ଘର ଦେଇ ନିଜ ସଫଳତାର ଡିଣ୍ଡିମ ପିଟୁଥିବା ବେଳେ ଏହି ଦମ୍ପତିଙ୍କ ଘରକୁ ଦେଖିଲେ ସରକାରଙ୍କର ଏହି ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଥିଲାବାଲାଙ୍କୁ ଘର ମିଳୁଥିବା ବେଳେ ଗୁରୁଦେବଙ୍କୁ ଘରଟିଏ କାହିଁକି ମିଳୁନାହିଁ ତାହା ଏବେ ଆଲୋଚ୍ଯର ବିଷୟ ପାଲଟିଛି । ଏହି ଘର ଖଣ୍ଡିକ କେତେବେଳେ ଯେ ଭୂଷୁଡି କିଛି ବି ଅଘଟଣ ନ ଘଟିବ କହିହେବ ନାହିଁ ।















