ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆଜି ମଧ୍ଯାହ୍ନରେ ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ ତୁଳସୀଚଉରା ନିକଟରେ ଦମକଳ ଗାଡି ଧକ୍କାରେ ଜଣେ କଲେଜ ଛାତ୍ର ମୃତ୍ଯୁବରଣ କରିଛନ୍ତି । ମୃତ ଛାତ୍ର ଜଣକ ହେଲେ ଚନ୍ଦନପୁର ଥାନା ବୀରକିଶୋରପୁର ତୁଣ୍ଡି ସାହିର ସ୍ବଂୟ ଶୁଭମ ସେନାପତି (୨୨) । ସେ ପୁରୀ ଏସସିଏସ କଲେଜର ଯୁକ୍ତ ତିନି ବିଜ୍ଞାନର ଶେଷ ବର୍ଷ ଛାତ୍ର ଥିଲେ । କଲେଜରୁ କ୍ଲାସ ସାରି ଗ୍ରାମକୁ ମଟରସାଇକେଲରେ ଫେରୁଥିବା ବେଳେ ତୁଳସୀଚଉରା ଛକରେ ରଙ୍ଗ ରୁଟରେ ଆସୁଥିବା ଦମକଳ ଗାଡି ଧକ୍କା ଦେଇଥିଲା ।
ମଟରସାଇକେଲରୁ ଛିଟିକି ପଡି ମୁଣ୍ଡ ଫାଟି ଯାଇଥିଲା । ସେଠାରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କରି ହାଇୱେ ପେଟ୍ରୋଲିଂ ଗାଡିରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସେଠାରେ ଚିକିତ୍ସାକରି ମୃତ ଘୋଷଣା କରିଥିଲେ । ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ବାପା ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବାବେଳେ ଶୁଭମ ଏକମାତ୍ର ପୁତ୍ର ଥିଲା ।
ଦୁର୍ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ଲାଗିରହିଥିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଶୁଭମ ର ମାଆ ପହଞ୍ଚିବାରୁ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତୁଳସୀଚଉରା ଛକରେ ଅପରାହ୍ନ ଏକଟାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଉତ୍ତ୍ଯକ୍ତ ଲୋକମାନେ ରାସ୍ତାରୋକ କରିଥିଲେ । ପୁରୀ ଭିଆଇପି ରୋଡରେ ଥିବା ମୁଖ୍ଯ ଦମକଳ କାର୍ଯ୍ଯାଳୟ ସମ୍ମୁଖରେ କଲେଜ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ ।
















