ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଲାଗିଥିବା ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣିରୋଗ ପ୍ରତିଷ୍ଠାନ, ଭୋପାଳ ଜୁଲାଇ ୧୧ ତାରିଖ ଦିନ ନିଶ୍ଚିତ କରିଛି । ଖବର ପାଇବା କ୍ଷଣି ରାଜ୍ୟ ସରକାର ଏହି ରୋଗ କିପରି ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ ଓ ରୋଗର ନିରାକରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଅଞ୍ଚଳକୁ ଗସ୍ତ କରି ରୋଗ ଲାଗିଥିବା ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ ମଲ୍ଲିକ ରୋଗ ନିୟନ୍ତ୍ରଣ ବିଷୟରେ ସମୀକ୍ଷା କରି କ୍ଷେତ୍ର ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ରୋଗ ଲାଗିଥିବା ଅଞ୍ଚଳରେ କୁକୁଡ଼ା ମରା, ବିଶୋଧନ, ପରିଷ୍କାର ପରିଚ୍ଛନ୍ନତା ଓ ରୋଗ ନିୟନ୍ତ୍ରଣ ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ତରଫରୁ ୭ ଗୋଟି ରାପିଡ ରେସପନ୍ସ ଦଳ ଗଠନ କରାଯାଇଛି । ୧୨ ଜୁଲାଇ ୨୦୨୫ ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି ।

ଏଥିପାଇଁ ରାପିଡ ରେସପନ୍ସ ଦଳ ଗୁଡିକୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ଏବଂ ବିଶେଷଜ୍ଞ ପ୍ରାଣିଚିକିତ୍ସକ ମାନେ ଏହାର ତଦାରଖ କରୁଛନ୍ତି । ୧୨ ଓ ୧୩ ଜୁଲାଇ ଦୁଇ ଦିନ ଧରି ରୋଗ ଲାଗିଥିବା ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୬,୭୫୬ କୁକୁଡ଼ାଙ୍କୁ ମାନବୀୟ ପଦ୍ଧତିରେ ମରାଯାଇଛି ।

ଏହି କାର୍ଯ୍ୟ ଅତି ଶୀଘ୍ର ସମାପନ କରାଯାଇ ଜୈବ ସୁରକ୍ଷା ନିୟମ ଅନୁଯାୟୀ ମରାଯାଇଥିବା କୁକୁଡାଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଭୀର ଗାତ ଖୋଳି ଚୂନ ଦେଇ ପୋତି ଦିଆଯାଇଛି । ଭାରତ ସରକାରଙ୍କ ତରଫରୁ ଜାରି ନିୟମାବଳୀ ଅନୁଯାୟୀ କୁକୁଡ଼ା ମରା ଯାଇଥିବା କୁକୁଡାପାଳକଙ୍କ ଜୀବିକା ଓ ରୋଜଗାର ନିଶ୍ଚିତ କରିବାକୁ ଦୁଇ ଦିନ ମଧ୍ୟରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।

ରୋଗ ଲାଗିଥିବା ସ୍ଥାନର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଜୈବ-ସୁରକ୍ଷା ପଦକ୍ଷେପ କଡାକଡି ଗ୍ରହଣ କରାଯାଇଛି । ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ରୋକିବାକୁ କୁକୁଡ଼ା ଫାର୍ମ ଗୁଡିକରେ ଯାନବାହାନ ଯିବାଆସିବାକୁ ନିୟନ୍ତ୍ରଣ କରାଯାଇଛି ଓ ବିଶୋଧନ ପ୍ରକ୍ରିୟା ଜାରି ରହିଛି ।















