ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ ପରେ ପୁରୀ ସହରରେ ଅନେକ ସମସ୍ୟା ଦେଖାଦେଇଛି । ଗୁଣ୍ଡିଚାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରାୟ ୭୦ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ଆସିଛନ୍ତି । ଶ୍ରଦ୍ଧାଳୁ ମାନେ ଖାଇବା, ପିଇବା, ଶୌଚ ହେବା, ବ୍ଯବହୃତ ପଲିଥିନ ଓ ପାଣି ବୋତଲ ଫୋପାଡିବା ଯୋଗୁ ସହରରେ ଆବର୍ଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି । ତାଳବଣିଆ ମଧୁରଜଳ ଅଞ୍ଚଳରେ ଗାଡି ପାର୍କିଂ ଯୋଗୁ ଖେଳ ପଡିଆ ନଷ୍ଟ ହେବା ସହ ଅଧିକ ସଂଖ୍ଯକ ଲୋକ ଗଦା ହେବାରୁ ସ୍ଥାନୀୟ ଜଙ୍ଗଲରେ କୁଢ କୁଢ ପଲିଥିନ ଗଦା ହୋଇଛି । ମାଗଣା ଖାଦ୍ଯ ବଣ୍ଟନ ଯୋଗୁ ଚଳିତବର୍ଷ ଗତବର୍ଷ ଠାରୁ ସାତଗୁଣା ଆବର୍ଜନା ଗଦା ହୋଇଛି ।

କାହାକୁ ଲଗା ନାହିଁ କି ପଘା ନାହିଁ ନ୍ଯାୟରେ ସହରରେ ସଫେଇ କାର୍ଯ୍ୟ ଚାଲିଥିବାରୁ ଏକ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି । ରଥଯାତ୍ରୀ ମାନେ ମାଗଣା ଖାଦ୍ଯ ବଣ୍ଟନ କେନ୍ଦ୍ରରୁ ଜରି କୋଟେଡ ଖଲିରେ ଖାଇବା ଯୋଗୁ ସ୍ବାସ୍ଥ୍ୟ ହାନି ସହ ୧୪ କୋଟି ଖଲିପତ୍ର ଏଣେତେଣେ ଗଦା ହୋଇଛି । ପ୍ରାୟ ୩୦ ହଜାର ରଥଯାତ୍ରୀ ମାଗଣା ଖାଦ୍ଯ ଯୋଗୁ ପୁରୀ ଛାଡି ପାରିନଥିଲେ । ବିଭିନ୍ନ ସ୍ଥାନରୁ ଖାଦ୍ଯ ଖାଇ ସହରସାରା ବୁଲିବା ଦେଖାଯାଇଥିଲା । ସାରା ଦେଶରୁ ଶତାଧିକ ଚୋର ପୁରୀରେ ପ୍ରବେଶ କରି ଶ୍ରଦ୍ଧାଳୁଙ୍କ ଠାରୁ ଲୁଟ କରିଥିବା ଦେଖାଦେଇଛି । ସେହିପରି ସମୁଦ୍ରକୂଳେ ପଲ୍ଲିଶ୍ରୀ ମେଳା ଖୋଲା ଯାଇଥିବାରୁ ପାଣି ବୋତଲ ଆଉ ପଲିଥିନ ସମୁଦ୍ରରେ ଭାସୁଥିବା ସହ କୂଳରେ ଗଦାହୋଇଛି ।

ଦୂଷିତ ପାଣି ଓ ବାସୀଖାଦ୍ଯ ଖାଇ ଶତାଧିକ ସହରବାସୀ ବାନ୍ତି କରିବା, ମୁଣ୍ଡ ବିନ୍ଧିବା ଜ୍ବର ହେବା, ପେଟ କାଟିବା, ଛାତି ଜଳାପୋଡା ହେବା ଓ ପତଳା ଝାଡା ବଢୁଥିବା ପରିଲକ୍ଷିତ ହେଉଛି । ଏହି ଯାତ୍ରା ସମୟରେ ମାଝି ଆଉ ମଶାଙ୍କ ସଂଖ୍ୟା ୧୦ ଗୁଣା ବଢିଯାଇଛି । ବଡଦାଣ୍ଡ ସଫେଇ ଦାୟିତ୍ବ ନେଇଥିବା ଜାଗୃତି ସଂସ୍ଥା ଅଳିଆ ଦେଖି ହାତ ଟେକିଦେଛି । କେବଳ ନାମକୁ ମାତ୍ର ବଡଦାଣ୍ଡର ମଝିଅଂଶ ୨୦ ଫୁଟ ଉପରିଆ ପହଁରା ମାରି ସଫେଇ କରୁଥିବା ଦେଖାଯାଇଛି । ଭୋଳାନାଥ ସ୍ଲୁଲ ପାଖରେ ମାଗଣା ଷ୍ଟଲ ଖୋଲିଥିବା ଏକ କମ୍ପାନୀ ପବିତ୍ର ଶରଧାବାଲିକୁ ଅପବିତ୍ର ଓ ଅଇଁଠାମୟ କରି ଦେଇଥିବା ଦେଖିଯାଇଥିଲା । ପବିତ୍ର ବଡଦାଣ୍ଡ ଯେଉଁ ଦାଣ୍ଡରେ ସ୍ବୟଂ ଭଗବାନ ବିଜେ କରନ୍ତି ତାର ବାଲି ମହାପବିତ୍ର ।















