No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ନୀକଟରେ ସିକ୍କିମର ଲାଚେନ ଠାରେ ଘଟିଥିବା ଭୂସ୍ଖଳନରେ ୩ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ବ୍ୟକ୍ତି ନିଖୋଜ ଥିଲେ । ଏଭଳି ଜଟିଳ ସ୍ଥିତିରେ ଓଡିଶାର ଏକ ଡିପ ଟେକ ଷ୍ଟାର୍ଟଅପ, ବନ୍ଭି ଏରୋର ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ଜୀବନ ରକ୍ଷାକାରୀ ପ୍ରମାଣିତ ହୋଇଥିଲା । ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା, ଦ୍ରୁତ ପହଂଚ ଓ ପୁନରୁଦ୍ଧାର ପାଇଁ ଭାରତୀୟ ସେନାକୁ ସହଯୋଗ କରିଥିଲା ବନଭି ଏରୋ । ସାଧାରଣତଃ ଅଧିକ ଉଚ୍ଚତାରେ ଭୂସ୍ଖଳନ ଉଦ୍ଧାର କାର୍ଯ୍ୟ ଏସ୍ଡିଆରଏଫ ଟିମ, ସ୍ନିଫର ଡଗ୍, ମାଟି ଖୋଳିବା ଓ ଗ୍ରାଉଣ୍ଡ-ବେସ୍ଡ ଜିପିଆର ଉପକରଣ ଉପରେ ନିର୍ଭର କରୁଥିବା ବେଳେ ଏହି ଅପରେଶନରେ କିନ୍ତୁ ଏକ ବଡ ପରିବର୍ତନ ଦେଖିବାକୁ ମିଳିଥିଲା ।
ବନ୍ଭି ଏରୋର ଗ୍ରାଉଣ୍ଡ ପେନିଟ୍ରେଟିଙ୍ଗ ରାଡାର (ଜିପିଆର) ଡ୍ରୋନ ଭଗ୍ନାବଶେଷ ଉପରେ ଉଡିଥିଲା ଏବଂ ଅସ୍ଥିର ଭୂଭାଗକୁ ପ୍ରଭାବିତ ନକରି ମାଟି ତଳେ ଦବି ରହିଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ଆଧୁନିକ ସେନ୍ସରଗୁଡିକର ବ୍ୟବହାର କରିଥିଲା । ଭୂସ୍ଖଳନର ୨୪ ଘଂଟା ମଧ୍ୟରେ ଭାରତୀୟ ସେନା ଷ୍ଟାର୍ଟଅପର ଡ୍ରୋନଗୁଡିକୁ ଉଦ୍ଧାର କାର୍ଯ୍ୟରେ ସାମିଲ କରିଥିଲା । ୟୁଏଭିର ଡାଟା ୦.୭୬ମିଟର ଓ ୦.୦୧୫ ମିଟର ଗଭୀରତାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରିଥିଲା ଯେଉଁଠାରେ ଖନନ ପରେ ମାନବ ଅବଶେଷ ମିଳିଥିଲା । ଜଳବାୟୁ, ତୁଷାରପାତ, ଜଳବନ୍ଦୀ, ଭଗ୍ନାବଶେଷ ଓ ଅସ୍ଥିର ରାସ୍ତା ଯୋଗୁଁ ଏଭଳି ସ୍ଥିତିରେ ପାରମ୍ପରିକ ଉଦ୍ଧାର ପଦ୍ଧତି ପ୍ରାୟତଃ ବିଫଳ ହେଉଥିବା ବେଳେ ଜିପିଆର ଡ୍ରୋନ ସୁରକ୍ଷିତ ଭାବେ ବିପଦପୂର୍ଣ୍ଣ ସ୍ଥାନଗୁଡିକୁ ସ୍କାନ କରିପାରିଥାଏ, ରିଅଲ ଟାଇମ ସବ୍ସର୍ଫେସ ଡାଟାକୁ ମ୍ୟାପିଂ କରିଥାଏ । ଯାହା ଗ୍ରାଉଣ୍ଡ ଟିମଗୁଡିକୁ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାରେ ସାହାଯ୍ୟ କରିଥାଏ ।
ଏହି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବନ୍ଭି ଏରୋର ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି, “ଭାରତୀୟ ସେନା ଆମ ଟେକ୍ନୋଲୋଜିକୁ ବ୍ୟବହାର କରିବା ସ୍ୱଦେଶୀ ସମାଧାନଗୁଡିକ କ୍ଷେତ୍ରରେ ବଢୁଥିବା ଆତ୍ମବିଶ୍ୱାସକୁ ଦର୍ଶାଉଛି । ଏକ ଓଡିଶା-ଭିତିକ ଷ୍ଟାର୍ଟଅପ ଭାବେ ଆମେ ଗର୍ବିତ ଯେ ଆମର ଉଦ୍ଭାବନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିପାରୁଛି ।” ସେହିପରି କମ୍ପାନୀର ଚିଫ୍ ଟେକ୍ନୋଲୋଜି ଅଫିସର ଅବିନାଶ ସାହୁ କହିଛନ୍ତି, “ଉଦ୍ଧାରକାରୀ ଦଳକୁ ବିପଦରୁ ଦୂରେଇ ରଖି ଭଗ୍ନାବଶେଷ ଓ ମାଟି ତଳେ ଦେଖିପାରିବାର ଏହାର କ୍ଷମତା ଏହି ଡ୍ରୋନକୁ ସ୍ୱତନ୍ତ୍ର କରୁଛି । ଏହି ଟେକ୍ନୋଲୋଜି ଭାରତର ଭୂସ୍ଖଳନ ଓ ସେହିଭଳି ବିପର୍ଯ୍ୟୟଗୁଡିକର ମୁକାବିଲା କରିବା ଶୈଳୀକୁ ନୂଆ ରୂପ ଦେଇପାରିବ ।” ଲାଚେନ ମିଶନ ଓଡିଶାର ଷ୍ଟାର୍ଟଅପ ଇକୋସିଷ୍ଟମ ପାଇଁ ଏକ ଗର୍ବର ମୁହୂର୍ତ ଅଟେ, ଯାହା ସ୍ୱଦେଶୀ ଉଦ୍ଭାବନ କିଭଳି ଦେଶର ଜରୁରୀକାଳିନ ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ତାହା ପ୍ରଦର୍ଶିତ କରୁଛି ।

No Result
View All Result