ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜ଼ିଲ୍ଲା ମୋହନା ବ୍ଳକର ମୋହନା, ଚନ୍ଦ୍ରଗିରି ଓ ନଳାଘାଟ ଗ୍ରାମରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଆଜି ସକାଳ ସମୟରେ ଜଗନ୍ନାଥ ମନ୍ଦିରରେ ରୀତି ନୀତି ପ୍ରକାରେ ପୁରୋହିତ ପଣ୍ଡିତ ଶିବଶଙ୍କର ପଣ୍ଡା ଜୀଉଙ୍କୁ ପୂଜାର୍ଚ୍ଚନା କରିବା ସହ ଅଣସର ଘରୁ ପ୍ରଭୁଙ୍କୁ ବାହାର କରାଯାଇଥିଲା । ଏହାପରେ ସ୍ଥାନୀୟ ବ୍ରାହ୍ମଣ ମହାସଂଘର ସେବକ ମାନେ ଜଗନ୍ନାଥଙ୍କ ବିଗ୍ରହଙ୍କର ପହଣ୍ଡି ବିଜେ କରି ରଥ ନିକଟକୁ ନେବା ପରେ ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ଛେରା ପହଁରା କରିଥିଲେ ।

ଏହାପରେ ବ୍ରାହ୍ମଣ ଦେବତାମାନେ ମହାପ୍ରଭୁଙ୍କୁ ରଥାରୂଢ଼ କରିଥିଲେ l ଘଣ୍ଟ, ଘଣ୍ଟି, ମୃଦଙ୍ଗ, ଢ଼ୋଲ ଓ ସଂକୀର୍ତ୍ତନ ଦଳର ତାଳେ ତାଳେ ଭକ୍ତମାନେ ରଥ ଟାଣିଥିଲେ l ରଥଯାତ୍ରା ଦେଖିବା ପାଇଁ ମୋହନା ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ରଥ ମାଉସୀ ମାଁ ମନ୍ଦିରରେ ପହଞ୍ଚିବା ପରେ ଠାକୁରଙ୍କୁ ପହଣ୍ଡି କରି ମାଉସୀ ମାଁ ମନ୍ଦିରକୁ ନିଆଯାଇଥିଲା l















