ଅପରାହ୍ନ ୩.୩୦ବେଳେ ଚାରିଠାକୁରଙ୍କର ପହଣ୍ଡି ବିଜେ କରାଯାଇଥିଲା।ପ୍ରଥମେ ଠାକୁର ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ଦଣ୍ଡାୟମାନ ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ନିଆ ଯାଇଥିଲା। ଉପସ୍ଥିତ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କର୍ତାଳ, ମରଦଳ,ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ ମର୍ମସ୍ପର୍ଶୀ ଥିଲା।ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ।
ଅପରାହ୍ନ ୪ ଟା ସମୟରେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୫ ହଜାର ଦର୍ଶକ ଙ୍କର ସମାଗମ ହୋଇଥିଲା। ଭକ୍ତ ମାନେ ରଥଟିକୁ ଟାଣି ଟାଣି ୬ କିଲୋମିଟର ଦୂରବର୍ତ୍ତୀ ଲସନସ ବେ କଲୋନୀଠାରେ ଥିବା ମାଉସୀ ମା ମନ୍ଦିର କୁ ନେଇଥିଲେ।ରାସ୍ତା ର ଦୁଇ ପାର୍ଶ୍ଵରେ ମହଜୁଦ ଥିବା ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ମନେ କରୁଥିବା ଏବଂ ଭକ୍ତି ଭାବରେ ଅଭିଭୂତ ହେଉଥିବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ଥିଲା।ସନ୍ଧ୍ୟା ୭ଟା ସୁଦ୍ଧା ଜୀଉ ମାନଙ୍କୁ ରଥରୁ ପୁଣି ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିର ସ୍ଥିତ ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ଜୁଲାଇ ୫ ତାରିଖ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି।
ଚଳିତ ବର୍ଷ ଘୋଷଯାତ୍ରା ରେ ସ୍ଥାନୀୟ ମାରୱାଡ଼ି ଯୁବମଞ୍ଚ ଓ ପଞ୍ଜାବ ସଂଘ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ। ସମଗ୍ର ଆୟୋଜନକୁ ସୁଚାରୁ ରୁପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି ଡ଼ଃ କରୁଣାକର ପାଢ଼ୀ, ଏସ.ଏନ. ସାହୁ ତଥା ସଦସ୍ୟ ବୃନ୍ଦ ବିଜୟ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ସାହୁ, ବନମାଳୀ ସାହୁ ଓ ଅରୁଣ ଦାସ ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ।

© 2023 Odisha Taza News.