No Result
View All Result
ଭୁବନେଶ୍ବର/ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସଡ଼ର ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର, ନରେନ୍ଦ୍ର ମୋଦୀଙ୍କର ପ୍ରଧାନ ମନ୍ତ୍ରୀତ୍ୱ ସହିତ ତାଳ ଦେଇ ୨୦୧୪ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନରେ କରିଥିବା ପଦଯାତ୍ରାର ନିକଟରେ ଏକାଦଶ ବର୍ଷର ପରିସମାପ୍ତି ପାଳନ କରିଛନ୍ତି । ସିଲଭର ଗାନ୍ଧୀ ଜୁନ୍ ୧୨ ତାରିଖରେ ମୋହନ ମାଝୀ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ମଧ୍ୟ ପାଳନ କରିଥିବା ଜଣାଯାଇଛି । ସିଲଭର ଗାନ୍ଧୀଙ୍କର ଏହି ନିରବଚ୍ଛିନ୍ନ ପଦଯାତ୍ରା ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ହେଲା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମହାମନ୍ତ୍ର ଯଥା ସ୍ଵଚ୍ଛ ଭାରତ, ମା’ ପାଇଁ ଗଛଟିଏ ରୋପଣ ଏବଂ ପ୍ରତ୍ୟକ ଭାରତୀୟଙ୍କ ଘରେ ତ୍ରିରଙ୍ଗା ଉଡ଼ାଣ ଆଦିକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ।
ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ପ୍ରଶଂସକ ବୋଲି ଅବତାରଣା କରି ସିଲଭର ଗାନ୍ଧୀ, ଏକ ବକ୍ତବ୍ୟରେ ମୋଦୀ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାବରେ ନିଜ ପଦବୀରେ ଏକାଦଶ ବର୍ଷର ଗରିମାମୟ କାର୍ଯ୍ୟକାଳ ପୂରଣ କରିଥିବାରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ମୋଦୀଙ୍କର ନିଃସ୍ୱାର୍ଥପର ଦେଶସେବା, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ରାଷ୍ଟ୍ର ଗଠନ ପାଇଁ ଅନବରତ ଉତ୍ସର୍ଗୀକୃତ ଉଦ୍ୟମ ଏବଂ ଭାରତବର୍ଷର ଆନ୍ତର୍ଜାତିକ ମର୍ଯ୍ୟାଦାକୁ ଉତ୍ଥାନ ପାଇଁ ଅପାର ପ୍ରତିବଦ୍ଧତା ଯୋଗୁଁ ସାରା ଦେଶ ତାଙ୍କ ନିକଟରେ ଚିର କୃତଜ୍ଞ ରହିବ ବୋଲି ଶ୍ରୀ ଗାନ୍ଧୀ ସୁଚାଇଛନ୍ତି।
ଶ୍ରୀ ଗାନ୍ଧୀଙ୍କର ରାଜଧାନୀ ନୂଆଦିଲ୍ଲୀ, ଗୁଜୁରାଟର ଗାନ୍ଧୀନଗର, ହରିଆଣାର କୁରୁକ୍ଷେତ୍ର ଆଦି ସ୍ଥାନରେ ଜାତୀୟ ସ୍ତରର ଐତିହାସିକ ପଦଯାତ୍ରାଗୁଡ଼ିକର ଉଦଘାଟନ ଓ ଉଦଯାପନ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନୋହର ଲାଲ ଖଟ୍ଟର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ହରିଆଣାର ମନ୍ତ୍ରୀ ସୁବାଷ ସୁଧା, ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ, ବିଜେପି ନେତ୍ରୀ ମୃଦୁଳା ଠାକୁର ପ୍ରଧାନ ଓ ଦିଲ୍ଲୀ ହାଉଜଖାସ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ନୂଆଦିଲ୍ଲୀ ସ୍ଥିତ ନେସନାଲ୍ ସ୍କୁଲ ଅଫ ଡ୍ରାମାରେ ଶିକ୍ଷା ପ୍ରାପ୍ତ, ତିରିଶ ବର୍ଷିୟ ମୋହନ ମହାପାତ୍ରଙ୍କ ଚେହେରା ଆଶ୍ଚର୍ଯ୍ୟଜନକ ଭାବେ ମହାତ୍ମା ଗାନ୍ଧୀଙ୍କର ରୂପ ସହିତ ବହୁ ଭାବରେ ଖାପ ଖାଉଛି।
ଗାନ୍ଧୀଙ୍କର ଆଦର୍ଶ ଓ ଦର୍ଶନର ପ୍ରସାରଣ ପାଇଁ ସେ ନିଜ ଦେହରେ ରୂପା ରଙ୍ଗ ଲେପନ କରି ଗାନ୍ଧୀ ଧୋତି ପିନ୍ଧି ବୁଲୁଥିବାର ଦେଖାଯାଇଥାଏ। ତାଙ୍କର ଆକର୍ଷକ ଚେହେରାର ସୁଯୋଗ ନେଇ ସେ ସ୍ଵଚ୍ଛ ଭାରତ ଅଭିଯାନ, କୋଭିଡ-୧୯ ଆତଙ୍କ ଏବଂ ମଦ ବିରୋଧୀ ଆନ୍ଦୋଳନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରୁଥିବାର ନଜିର ରହିଛି। ଶ୍ରୀ ମହାପାତ୍ରଙ୍କ ଜୀବନ କାହାଣୀକୁ ଆଧାର କରି ବଲିଉଡରେ ହିନ୍ଦୀ ଭାଷାରେ ‘ସିଲଭର ଗାନ୍ଧୀ’ ନାମକ ଏକ ଚଳଚ୍ଚିତ୍ର ମଧ୍ଯ ନିର୍ମାଣ କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶୁଦ୍ଧପୂତ ଜୀବନ ଏବଂ ଆଦର୍ଶଭରା କର୍ମକ୍ଷେତ୍ର, ତାଙ୍କୁ ବ୍ୟାପକ ଭାବେ ପ୍ରଭାବିତ କରିଥିବା ସିଲଭର ଗାନ୍ଧୀ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ମୋଦୀଙ୍କର ବାର୍ତ୍ତାଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହୁଞ୍ଚାଇବା ସକାଶେ ସେ ଏହିପରି କଷ୍ଟକର ପଦଯାତ୍ରାର ସାହାରା ନେଉଥିବା ଶ୍ରୀ ଗାନ୍ଧୀ ଦର୍ଶାଇଛନ୍ତି।

No Result
View All Result