ଗୁରୁଗ୍ରାମ/ ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। ‘ରଜ’ ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ବିଶ୍ଵ ବିଦିତ। ରାଜ୍ୟର ଉତ୍କର୍ଷତା, ଉତ୍କୃଷ୍ଟତା ଓ ଉପାଦେୟତାକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପରିଚିତ ଓ ପ୍ରତିଷ୍ଠିତ କରିବା ପାଇଁ ଏହି ଉତ୍ସବ ଉଦ୍ଦିଷ୍ଟ। ମାତୃ ଉପାସନା ପାଇଁ ଉତ୍ସର୍ଗୀକୃତ ଏହି ମହା ପାର୍ବଣ , ମାଟି ମା’ ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ।
କଳିଙ୍ଗ ଭାରତୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ମହା ସମାରୋହ, ଆଗାମୀ ଜୁନ ୧୪ ଓ ୧୫ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଗୁରୁଗ୍ରାମର ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟ ପାଞ୍ଚ ହଜାର ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ଏହି ସମାବେଶରେ ସାମିଲ ହେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଏହି ମହୋତ୍ସବରେ ବରେଣ୍ୟ ଅତିଥି ଭାବରେ ହରିୟାଣାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଅଗ୍ନିବର୍ଷି ଯୁବନେତ୍ରୀ ଆରତୀ ସିଂ ରାଓ, ପ୍ରସିଦ୍ଧ ଚିକିତ୍ସାବିତ ଡଃ. ମୋହିତ ଗୁପ୍ତା, ବରିଷ୍ଠ ପ୍ରଶାସକ ପ୍ରଶାନ୍ତ କୁମାର ମହାପାତ୍ର ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଜାତୀୟ ସଭାପତି ଓ ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲଙ୍କ ଦ୍ୱାରା ପରିକଳ୍ପିତ ଏବଂ ପରିସ୍ଫୁଟିତ ଏହି ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ପରମ୍ପରା, ପରିପାଟି ଏବଂ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ଜଣାଯାଇଛି। ସମଗ୍ର ଉତ୍ତର ଭାରତ ବିଶେଷ କରି ହରିୟାଣାର ରଙ୍ଗାରଙ୍ଗ ସାଂସ୍କୃତିକ ବୈଭବକୁ ଓଡ଼ିଶା ମାଟିର ମହାନତା ଓ ମହନୀୟତା ସହିତ ସଂଯୁକ୍ତ କରିବା ଏହି ଉତ୍ସବର ଅସଲ ଉଦ୍ଦେଶ୍ୟ।
ଏହି ଦୁଇ ଦିନିଆ ସାଂସ୍କୃତିକ କୁମ୍ଭର ମୁଖ୍ୟ ଆକର୍ଷଣ ହେବ ଜାତୀୟ ଲୋକନୃତ୍ୟ ମହୋତ୍ସବ। କଳା ଉତ୍ସବ ନାମରେ ଲୋକପ୍ରିୟ ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା, ହରିଆଣା, ରାଜସ୍ଥାନ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ଆସିବାକୁ ଥିବା ପ୍ରାୟ ୨୫୦ ରୁ ଉର୍ଦ୍ଧ୍ଵ କଳାକାର ସେମାନଙ୍କର ପାରଦର୍ଶି ପ୍ରତିଭା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ। ଏହା ସହିତ ଲୋକପ୍ରିୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ସୁଶାନ୍ତ ପଣ୍ଡା, ସୁଦକ୍ଷ ଉପସ୍ଥାପକ ଶ୍ରୀ କମଳ ତଥା ସ୍ଥାନୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ମାନଙ୍କର ଜାଦୁଗରୀ ନୃତ୍ୟର ଝଲକ ମଧ୍ଯ ଦେଖିବାକୁ ମିଳିବ।