ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜୁନ ୧୧ ତାରିଖ ପବିତ୍ର ସ୍ନାନପୂର୍ଣ୍ଣିମା । ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ । ଏହି ସମୟରେ ଭକ୍ତ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ ନାହିଁ । ଜୁନ ୧୨ ତାରିଖରୁ ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ରୂପରେ ଭକ୍ତ ଦର୍ଶନ କରିବେ। କଥିତ ଅଛି ଅଣସର ସମୟରେ ଗୋଟିଏ ଦିନ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ୧୪ ଦିନ ଅଣସର ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଗହଳି ହେବ ।

ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀଅଲାରନାଥଙ୍କ ପୀଠ । ଏବେ ମନ୍ଦିରକୁ ଧଳା ଚୂନରେ ରଙ୍ଗ କରାଯାଉଛି । ଭକ୍ତ ଦର୍ଶନ ପାଇଁ ବ୍ଯାରିକେଡ ନିର୍ମାଣ କରାଯିବ । ପ୍ରବଳ ଖରା ତାତି ଯୋଗୁ ଛାମୁଣ୍ଡିଆ କରାଯିବ ସହ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମ ଓ ବୟସ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ସେମାନଙ୍କୁ ସହଯୋଗ କରିବା ପାଇଁ ସ୍ୱେଛାସେବୀ ମାନେ ନିୟୋଜିତ ହେବେ । ମଝିରେ ମଝିରେ ବସିବା ପାଇଁ ସ୍ବତନ୍ତ୍ର ବେଞ୍ଚ ବ୍ଯବସ୍ଥା କରାଯିବ । ମନ୍ଦିର ଭିତର ଓ ବାହାର ବିଦ୍ୟୁତ ଆଲୋକରେ ଝଲସିବ ।

ନୀତିକାନ୍ତି ସଠିକ କରିବା ପାଇଁ ପ୍ରସ୍ତୁତି ବୈଠକରେ ଚୁଡାନ୍ତ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ପୋଲିସ ବ୍ଯବସ୍ଥା କରାଯିବ । ଏଥର ୫୦ଟି ସିସିଟିଭି କ୍ଯାମେରା ମନ୍ଦିର ବିଭିନ୍ନ ସ୍ଥାନରେ ଲଗାଯିବ । ସେବାୟତ ୩୦ ଘର ପାଇଁ ସ୍ବତନ୍ତ୍ର ପାସ ବ୍ଯବସ୍ଥା କରାଯାଇଛି । ଗାଡି ପାର୍କିଂ ପାଇଁ ଚନ୍ଦନ ପୋଖରୀ ନିକଟରେ ବ୍ଯବସ୍ଥା କରାଯାଇଛି । ସେଠାରେ ଅଧିକ ଗାଡି ହେଲେ ଅନ୍ଯ ସ୍ଥାନରେ ପାର୍କିଂ ପାଇଁ ବ୍ଯବସ୍ଥା ହୋଇଛି । ମନ୍ଦିରରୁ ବାମ୍ଫ ନିଷ୍କାସନ ଓ ଥଣ୍ଡା ପାଇଁ ସ୍ବତନ୍ତ୍ର କୁଲର ବ୍ଯବସ୍ଥା କରାଯିବ । ଆନନ୍ଦବଜାରରେ ଶୃଙ୍ଖଳିତ ଭାବେ ଖୀରି ପ୍ରସାଦ ନେଇପାରିବେ ।















