ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :– ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀର ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ବଡ ଘାଇ ଏବଂ ଘଳିଆଗୁଡିକର ବନ୍ଦ କରାଯିବା କାର୍ଯ୍ୟ ଜଳ ସଂପଦ ବିଭାଗ ପକ୍ଷରୁ ଚାଲୁ ରହିଛି । ଏହି ସବୁ କାର୍ଯ୍ୟକୁ ଅନୁଧ୍ୟାନ ଏବଂ ତଦାରଖ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟ କରୁଛନ୍ତି । ଆଜି ଏହି କ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବଲୱନ୍ତ ସିଂ ଓ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ ଅନ୍ୟ ଯନ୍ତ୍ରୀମାନଙ୍କ ସହିତ ନିମାପଡା ନିକଟସ୍ଥ ଭାର୍ଗବୀ ନଦୀ ଆର୍.ଡି,ରୋଡ୍ ୨୮.୭୫୦ କିମି. ଠାରେ ବାମ ପାଶ୍ୱର୍ ନଦୀବନ୍ଧ ପାର୍ବତୀପୁରଠାରେ ଓ ଦକ୍ଷିଣ ପାଶ୍ୱର୍ ନଦୀବନ୍ଧର ରଥ-ପୁରୁଷୋତମ ପୁର ଗ୍ରାମ ଠାରେ ନଦୀବନ୍ଧ ପରିଦର୍ଶନ କରି ସୃଷ୍ଟି ହୋଇଥିବା ବଡ ଘଳିଆ ବନ୍ଦ କାର୍ଯ୍ୟ ତଦାରଖ କରିଛନ୍ତି । ସେହିପରି ପ୍ରମୁଖ ଶାସନ ସଚିବ ଏବଂ ଜିଲ୍ଲାପାଳ ମଧ୍ୟ ଭାର୍ଗବୀ ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ୨୧.୫୦୦ କି.ମି. ମଉଜିବେଗ ଠାରେ ବଡ ଘଳିଆ ସ୍ଥାନ ପରିଦର୍ଶନ କରି ଏହାକୁ ବନ୍ଦ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।
ଜଳ ସଂପଦ ବିଭାଗର କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଅଂଚଳରେ ହୋଇଥିବା ଘଳିଆ ମରାମତି କାର୍ଯ୍ୟସବୁକୁ ରାଜ୍ୟ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନେ ତଦାରଖ କରୁଛନ୍ତି । ଯାଜପୁର ଜଳସେଚନ ଡିଭିଜନ ଅନ୍ତର୍ଗତ ଦଶରଥପୁର ବ୍ଲକର ଦତପୁର ଗ୍ରାମଠାରେ ବୈତରଣୀ ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ଘାଇ ବନ୍ଦ କରାଯିବା କାର୍ଯ୍ୟ ଜାରି ରହିଛି । ଏହି ଜିଲ୍ଲାର ବରୀ ବ୍ଲକ ଭୁବନପୁରର ତନ୍ତୀ ଘାଇଠାରେ ହୋଇଥିବା ଘାଇ ବନ୍ଦ କାର୍ଯ୍ୟ ଚାଲୁରହିଛି ଏବଂ ଏଥି ପାଇଁ ଡଙ୍ଗା ଯୋଗେ ସେଠାକୁ ବାଉଁଶ, ବଲ୍ଲା ଆଦି ମରାମତି ସାମଗ୍ରୀ ପଠାଯାଇଛି । ଲୁଣା ନଦୀ ବାମ ପାଶ୍ୱର୍ ବନ୍ଧରେ ମହାକାଳପଡା ମଙ୍ଗଳପୁର ସ୍ଲୁଇସ୍ ଗେଟ୍ ନିକଟରେ ଘଳିଆ ମରାମତି କାର୍ଯ୍ୟ ଚାଲୁ ରହିଛି । ଏହି ସମୟରେ ଅଧିକ୍ଷଣ ଯନ୍ତ୍ରୀ –ଇସି-୨, ନିର୍ବାହୀ ଯନ୍ତ୍ରୀ ,ଆଳି,ଉପଖଣ୍ଡ ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଦେବୀ ନଦୀ ବାମ ପାଶ୍ୱର୍ରେ ଜଳ ସ୍ତର କମିଥିବା ଯୋଗୁଁ ଗ୍ରାଂମାଚଳରୁ ଜଳ ନିଷ୍କାସନ ପାଇଁ ନଦୀକୁ ସଂଯୋଗ କରୁଥିବା ମାଛଗାଁ -ଅଳକା ସ୍ଲୁଇସ୍କୁ ଖୋଲା ଯାଇଛି । ଏହି ପରି ଭାବରେ ଜଳ ସଂପଦ ବିଭାଗ ତରଫରୁ ସଂପୃକ୍ତ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ ବନ୍ୟା ପରବର୍ତୀ ବନ୍ଧ ମରାମତି , ଘାଇ ଓ ଘଳିଆ ମରାମତି କାର୍ଯ୍ୟ ପ୍ରତିଦିନ ଜାରି ରହିଛି ।