No Result
View All Result
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ୨୦୨୫-୨୭ ବର୍ଷ ପାଇଁ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଆଜୀବନ ସଦସ୍ୟ ଦୀପକ ମାଲବ୍ୟଙ୍କୁ ଉପସଭାପତି, ନିରଞ୍ଜନ ରଥଙ୍କୁ ସମ୍ପାଦକ ଓ ରାଜେନ୍ଦ୍ର ଜେନାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦକୁ ଦ୍ୱିବାର୍ଷିକ ନିର୍ବାଚନରେ ନିର୍ବାଚିତ ୬ ସଦସ୍ୟଙ୍କ ମଧ୍ୟରୁ ଅନୁଷ୍ଠାନର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଏହି ତିନି ପଦ ପାଇଁ ପଦାଧିକାରୀ ମନୋନୀତ କରିଛନ୍ତି । ଲୋକସେବକ ମଣ୍ଡଳ ଉପସଭାପତି ଦୀପକ ମାଲବ୍ୟ ପୂର୍ବରୁ ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ତୁଲାଇଛନ୍ତି ।
କ୍ରମାଗତ ଭାବେ ଦ୍ୱିତୀୟ ଥର ଉପସଭାପତି ଭାବେ ମନୋନୀତ ହୋଇଥିବା ଶ୍ରୀ ମାଲବ୍ୟ ସମ୍ପ୍ରତି ଲୋକସେବକ ମଣ୍ଡଳ କାନପୁର ଓ ମିରଟ ଶାଖା ଦାୟିତ୍ୱରେ ଅଛନ୍ତି । ଏଥିସହ ଦକ୍ଷିଣ ଏସିଆ ମୈତ୍ରୀ ସଂଘ (ଏସଏଏଫ)ର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟରତ । ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ନିରଞ୍ଜନ ରଥଙ୍କୁ ପୁଣି ଥରେ ସମ୍ପାଦକ ଦାୟିତ୍ୱ ମିଳିଛି । ପୂର୍ବରୁ ଲୋକସେବକ ମଣ୍ଡଳ ଉପସଭାପତି, ସମ୍ପାଦକ ପଦ ଦାୟିତ୍ୱ ତୁଲାଇଥିଲେ। ଏଥିସହ ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ ଏବଂ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ ଏବଂ ଆଠଗଡ଼ର ମାଧପୁରସ୍ଥିତ ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଜିମ୍ସାର), ସମାଜ ରିଲିଫ କମିଟି ଓ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ଦାୟିତ୍ୱ ଶ୍ରୀ ରଥ ନିର୍ବାହ କରିଛନ୍ତି ।
ସମ୍ପ୍ରତି ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି । ଛାତ୍ର ଜୀବନରୁ ସାମାଜିକ କାର୍ଯ୍ୟରେ ଜଡ଼ିତ ରାଜେନ୍ଦ୍ର ଜେନାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଖଲିକୋଟ ମହାବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ବେଳେ ପ୍ରଭାବଶାଳୀ ଛାତ୍ର ନେତା ଭାବେ ପ୍ରତିଷ୍ଠିତ ଶ୍ରୀ ଜେନା ସମାଜସେବା କ୍ଷେତ୍ରରେ ସକ୍ରିୟ ଥିଲେ । ୧୯୮୯ରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଭାବେ ବହୁ ଜନହିତକର କାର୍ଯ୍ୟ କରିଛନ୍ତି । ଆଠଗଡ଼ର ମାଧପୁରସ୍ଥିତ ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଜିମସାର)ର ଅଧ୍ୟକ୍ଷ ପଦରେ ସମ୍ପ୍ରତି ଅବସ୍ଥାପିତ । ଦକ୍ଷିଣ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତଙ୍କୁ ସମାଜ ରିଲିଫ ସହାୟତା ପ୍ରଦାନ ଏବଂ ରିଲିଫ ପରିଚାଳନାରେ ତାଙ୍କର ଅବଦାନ ପ୍ରଶଂସନୀୟ ।

No Result
View All Result