No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଅପ୍ରେଲ ୨୨ ତାରିଖ ଦିନ ଜମ୍ମୁର ପହଲଗାମ୍ଠାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡର ଜବାବ୍ରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା । ଭାରତୀୟ ସେନାବାହିନୀର ଅଭୂତପୂର୍ବ ସାହସ, ପରାକାଷ୍ଠା ଯୋଗୁଁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇବା ସହ ବହୁ ଆତଙ୍କବାଦୀ ମୃତାହତ ହୋଇଥିଲେ । ଏହି ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ମାତ୍ର ତିନି ଦିନ ପରେ ମଇ ୧୦ ତାରିଖ ଦିନ ପାକିସ୍ତାନ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲା ।
ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନାବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭାରତ ମାତା କି ଜୟ, ବନ୍ଦେ ମାତରମ୍ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଜନତା, ଜିଲ୍ଲାର ନାଗରିକ ସମାଜ, ବଣିକ ସଂଘ, ବିଭିନ୍ନ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ମିଶନ ଶକ୍ତି ମହିଳା ଏହି ରାଲିରେ ଯୋଗଦେଇଥିଲେ । ସକାଳ ୮ଟା ସମୟରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ରୁ ବାହାରି ଡି ଏନ୍ କେ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା ।
ଜନସାଧାରଣଙ୍କ ମନରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଓ ବିଜୟର ଆନନ୍ଦ ସହ ଦେଶପ୍ରେମର ମନୋଭାବ ଦେଖିବାକୁ ମିଳିଥିଲା । ଅତିରିକ୍ତ ଜିଲ୍ଲାପାଳ ଏହି ଅବସରରେ କହିଥିଲେ ଯେ ମାତୃଜାତି ପ୍ରତି ରହିଥିବା ଗଭୀର ସମ୍ବେଦନା ତଥା ଦେଶର କନ୍ୟାର ସିନ୍ଦୂରର ସୁରକ୍ଷା ମାଧ୍ୟମରେ ସମଗ୍ର ଦେଶବାଦୀଙ୍କ ସୁରକ୍ଷା, ଦେଶର ଏକତା ଏବଂ ସାର୍ବଭୌମତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାର ପରିଣାମ ଅପରେସନ୍ ସିନ୍ଦୂର ।ସେ ଆହୁରି ମଧ୍ୟ କହିଥିଲେ ଯେ ସମସ୍ତ ସେନାବାହିନୀର ସମନ୍ୱୟ ଏବଂ ଦେଶ ସାମରିକ କୌଶଳରେ ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ବୋଲି ପ୍ରମାଣିତ ହୋଇ ପାରିଛି ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତି, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବି ଏସ ଏଫ୍ ଡେପୁଟି କମାଣ୍ଡାଣ୍ଟ ରବି ମିଶ୍ର ଙ୍କ ନେତୃତ୍ୱରେ ବି ଏସ ଏଫ୍ ର ଯବାନ ମାନେ ବାଇକ୍ ରାଲି ରେ ସାମିଲ୍ ହୋଇଥିଲେ ।

No Result
View All Result