No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ତାତି । ୬ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ପାରଦ ୪୦.୬ ଡିଗ୍ରୀ ଥିବାବେଳେ ଅନୁଗୋଳ ଓ ହୀରାକୁଦରେ ୪୦.୧ ଡିଗ୍ରୀ ଲେଖାଏଁ ରହିଛି । ଝାରସୁଗୁଡ଼ା, ଟିଟିଲାଗଡ଼ ଓ ବୌଦ୍ଧରେ ୪୦ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୯.୨ ଓ କଟକରେ ୩୮.୮ଡିଗ୍ରୀ ରହିଛି । ଆସନ୍ତା ସପ୍ତାହକ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ।
ରାଜ୍ୟର ଅନ୍ୟ ଜିଲାରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହୋଇନାହିଁ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବ । ତେଣୁ ଉପରୋକ୍ତ ଜିଲାଗୁଡ଼ିକୁ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ୧୦ ତାରିଖରୁ ୪ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ନେଇ ସତର୍କ ସୂଚନା ଦିଆଯାଇଛି । ପୂର୍ବାହ୍ଣ ସାଢ଼େ ୧୧ ଟାରୁ ଅପରାହ୍ଣ ସାଢ଼େ ୩ଟା ମଧ୍ୟରେ ପଦାକୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
No Result
View All Result