No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :– ଯେ କୌଣସି ସମାଜର ଶକ୍ତି ଏହାର ମହିଳାମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ବ୍ୟବହାର ଉପରେ ନିର୍ଭର କରେ । ଏଣୁ ଏକ ସୁସ୍ଥ ସମାଜ, ଶକ୍ତିଶାଳୀ ଓ ସମୃଦ୍ଧ ଦେଶ ଗଠନ ନିମନ୍ତେ ପୃଷ୍ଠଭୂମି ଓ ଭୌଗଳିକ ପରିବେଶ ନିର୍ବିଶେଷରେ ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି ।
ଆଜି “ମା’ ଘର ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର” ଏବଂ “ଏସ୍.ଏସ୍. ହସ୍ପିଟାଲ, ତାଳଚେର”ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ “ବିଶ୍ୱ ମାତୃ ଦିବସ” ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ମାତୃ ଦିବସ କେବଳ ମାତୃତ୍ୱର ଏକ ଉତ୍ସବ ନୁହେଁ, ଏହା ବିଶ୍ୱରେ ପ୍ରତିଦିନ ମା’ମାନଙ୍କର ପାଳନକାରୀ ଆତ୍ମା, ଅସୀମ ସ୍ନେହ ଏବଂ ତ୍ୟାଗର ସ୍ୱୀକୃତି । ଏହା ଏକ ଦିନ ଯାହା ଆମ ପ୍ରତ୍ୟେକଙ୍କ ପାଇଁ ଗଭୀର ଭାବଉଦ୍ରେକକାରୀ ମହତ୍ୱ ବହନ କରେ ବୋଲି ରାଜ୍ୟପାଳ କହିଥିଲେ ।
ମା’ଘର ଫାଉଣ୍ଡେସନ୍ ଟ୍ରଷ୍ଟ, ଭୁବନେଶ୍ୱର ଏବଂ ଏସ୍.ଏସ୍. ହସ୍ପିଟାଲ, ତାଳଚେରର ମିଳିତ ପ୍ରୟାସରେ “ବିଶ୍ୱ ମାତୃ ଦିବସ” ଅବସରରେ “ସମୟର ଆବଶ୍ୟକତା” ଶୀର୍ଷକ ସେମିନାର ଆୟୋଜନ କରିଥିବାରୁ ରାଜ୍ୟପାଳ ସାଧୁବାଦ ଜଣାଇବା ସହିତ ଆମ ସମାଜ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା ଓ ବିଚାରବିମର୍ଷ ନିମନ୍ତେ ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ, ସାମାଜିକ କର୍ମୀ ଏବଂ ସ୍ୱାସ୍ଥ୍ୟ ସେବା ସହ ଜଡିତ ବୃତ୍ତିଧାରୀ ଏକତ୍ର ହୋଇଥିବାରୁ ଖୁସି ପ୍ରକଟ କରିଥିଲେ । ଏପରି ପଦକ୍ଷେପ କେବଳ ସମୟୋଚିତ ନୁହେଁ, ବରଂ ସମାବେଶୀ ବିକାଶ, ସଶକ୍ତିକରଣ ଦିଗରେ ଆମର ସାମୁହିକ ଯାତ୍ରାରେ ବହୁତ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ ।
ଓଡିଶାର ଦୁର୍ଗମ ଓ ଅନୁନ୍ନତ ଅଂଚଳରେ ବିଭିନ୍ନ ସମସ୍ୟାର ସମାଧାନ, ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ପଦକ୍ଷେପ, ମହିଳାମାନଙ୍କୁ ସଶକ୍ତ କରିବା, ଗୋଷ୍ଠୀଙ୍କୁ ପୋଷଣ କରିବା, ଶିକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପକୁ ସହଜ କରିବା ଦିଗରେ ଅନୁଷ୍ଠାନର ଉତ୍ସର୍ଗୀକୃତ ପ୍ରଚେଷ୍ଟା ପାଇଁ ଖୁସି ପ୍ରକଟ କରିଥିଲେ । ସେହିପରି ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଉପରେ ଏସ୍.ଏସ୍. ହସ୍ପିଟାଲ, ତାଳଚେରର ପ୍ରୟାସ ପାଇଁ ଖୁସି ହେବା ସହ ଏହା ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ଗଠନରେ ମୂଳଦୂଆ ବୋଲି କହିଥିଲେ ।
ଏହି ସମାରୋହରେ ସମ୍ମାନନୀୟ ଅତିଥିଭାବେ ଓଡିଶାର ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ସମାରୋହର କୋ- ଅର୍ଗାନାଇଜର ଆଡ୍ଭୋକେଟ୍ ଋତୁପର୍ଣ୍ଣା ମହାନ୍ତି ଏବଂ ଡ. ସୁସ୍ମିତା ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ କୋ-ଅର୍ଡିନେଟର ଆଡଭୋକେଟ୍ ଜ୍ଞାନଦୀପ ବିଶ୍ୱପ୍ରସାଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଟ୍ରଷ୍ଟି ଶ୍ରୀମତୀ ସୁନିତା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result