No Result
View All Result
ଉନ୍ନୟନ କାମକୁ ନେଇ ପୂର୍ବ ସରକାରଙ୍କୁ ସମାଲୋଚନା
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ୩ମାସର ବ୍ୟବଧାନ ପରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଏକ ସ୍ୱତନ୍ତ୍ର ବୈଠକ ଶୁକ୍ରବାର ହୋହାଲ୍ଲା ପରିବେଶରେ ସଂପନ୍ନ ହୋଇଛି । ବୈଠକର ଆରମ୍ଭରୁ ହିଁ ଜନ ପ୍ରତିନିଧି ମାନେ ଉନ୍ନୟନ ପାଣ୍ଠିକୁ କେନ୍ଦ୍ର କରି ପରସ୍ପରକୁ ଦୋଷାରୋପ , କଥା କଟାକଟି ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ବୈଠକରେ ପ୍ରଥମଥର ପାଇଁ ଯୋଗ ଦେଇଥିବା ଆସିକା ସାଂସଦ ଓ ୬୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଠକର ବ୍ୟବଧାନ ଓ ପୂର୍ବ ଯୋଜନାକୁ ନେଇ ଆରୋପ ଓ ପ୍ରତ୍ୟାରୋପ ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ବାକ୍ୟ ବିନିମୟ ଚାଲିଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କ ସମାଲୋଚନା ମୂଳକ ମନ୍ତବ୍ୟକୁ କେନ୍ଦ୍ର କରି ସଂପୃକ୍ତ ଜନ ପ୍ରତିନିଧିଙ୍କୁ କିଛି ସରପଞ୍ଚ ତୀବ୍ର ସମାଲୋଚନା କରିବା ଫଳରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ସରଗରମ ହୋଇ ପଡିଥିଲା । ପରେ ବିଡିଓଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି ।
ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀଙ୍କ ସଂଯୋଜନାରେ ଶୁକ୍ରବାର ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ଉପାଧ୍ୟକ୍ଷ ସୁନିଳ ଗନ୍ତାୟତ, ତହସିଲଦାର ତପନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏବିଡିଓ ଅରୁଣ କୁମାର ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଠକ ପ୍ରାରମ୍ଭରେ ବିଡିଓ ବିକଶିତ ଗାଁ- ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ଅନୁମୋଦନ ସର୍ମ୍ପକରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବ୍ୟବସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ ।
ପରେ ଅଞ୍ଚଳର ସାମଗ୍ରୀକ ବିକାଶ ଦିଗରେ ଜନ ପ୍ରତିନିଧି ମାନେ କୌଣସି ପ୍ରକାର ଭେଦଭାବ, ରାଜନୈତିକ ତିକ୍ତତା ମନୋଭାବ ନରଖି ପରସ୍ପର ସହଯୋଗ କରିବାକୁ ଆସିକା ସାଂସଦ ଅନୁରୋଧ କରିଥିଲେ । ଗତ ଅକ୍ଟୋବର ମାସରେ ଅନୁଷ୍ଠିତ ସମିତି ବୈଠକରେ ଆସିକା ସାଂସଦଙ୍କ ଆଗମନ ପୂର୍ବ ସୂଚନାକୁ ନେଇ ବହୁ ବିଜେଡି ସମର୍ଥତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଅନୁପସ୍ଥିତ ଥିଲେ । ଫଳରେ କୋରମ ଅଭାବ ସତ୍ତ୍ୱେ ବୈଠକ ଆୟୋଜିତ ହୋଇଥିଲା । ହେଲେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇପାରିନଥିଲା । ଏହାକୁ କେନ୍ଦ୍ର କରି ସାଂସଦ ଶୁକ୍ରବାର ଆୟୋଜିତ ବୈଠକରେ ଅସନ୍ତୋଷ ପ୍ରକାଶ କରିବା ସହ ପୂର୍ବ ସରକାରଙ୍କ ଅମଳରେ କୌଣସି ଆଖିଦୃଶିଆ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବା ନେଇ ସମାଲୋଚନା କରିଥିଲେ ।
ପରେ ସଠିକ୍ ବ୍ୟବଧାନରେ ସମିତି ବୈଠକ ଆୟୋଜନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବାରୁ ୬୯ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଦୀର୍ଘ ୭ମାସ ଧରି ଜିଲ୍ଲା ପରିଷଦ ବୈଠକ ବିଳମ୍ବିତ ନେଇ ସାଂସଦଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ୟ ବିନିମୟ ହୋଇଥିଲା । ପରେ ଗଣ୍ଡଳା ସମିତିସଭ୍ୟ ପୂର୍ବ ସରକାରଙ୍କୁ ସମାଲୋଚନା କରି ଟିପ୍ପଣୀ ଦେଇଥିଲେ । ପୂର୍ବ ସରକାରଙ୍କ ଆମ ଓଡିଶା- ନବୀନ ଓଡିଶା ଯୋଜନାରେ ପଞ୍ଚାୟତ ଅନୁଦାନ ପାଣ୍ଠି ଓ ବିକଶିତ ଗାଁ – ବିକଶିତ ଓଡିଶା ଯୋଜନା କାର୍ଯ୍ୟଖସଡା ଅନୁଯାୟୀ ବିନିଯୋଗ ପାଣ୍ଠିକୁ ନେଇ କଥା କଟାକଟି ହୋଇଥିଲା । ପରେ ପଲ୍ଲୀସଭା ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଓ ମାନ୍ୟବର ବିଧାୟକଙ୍କ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ କାର୍ଯ୍ୟକାରୀତା ଉପରେ ବିଡିଓ ମତପ୍ରକାଶ କରିଥିଲେ ।
ଅନ୍ତିମରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳସମ୍ପଦ, ଉଦ୍ୟାନକୃଷି, ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ଆଦି ବିଭାଗର ଅଧିକାରୀ ମାନେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସର୍ମ୍ପକରେ ଆଲୋଚନା କରିଥିଲେ । ବୈଠକରେ ଡାକ୍ତର ସନ୍ତୋଷ ଷହଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଜଗନ୍ନାଥ ଦାଶ, ଗୋପାଳ କୃଷ୍ଣ ପଣ୍ଡା, ମଳୟ ନାୟକ, ସହକାରୀ ଯନ୍ତ୍ରୀ ଅରୁଣ ପଟ୍ଟନାୟକ, ବିନ୍ଦୁ ସାଗର ପଣ୍ଡା, ପ୍ରସନ୍ନ ଦଳାଇ, ସନ୍ତୋଷ ଦାଶ, ଏବିଇଓ ସୁଶିଳ ପାତ୍ର, ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ ।
No Result
View All Result