No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଶ୍ରୀନଅର ସମ୍ମୁଖ ଅନୁକୂଳ ହୋଇଛି । ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନାର ପରେ ସ୍ବର୍ଣ୍ଣ କୁରାଢୀରେ ସ୍ପର୍ଶ ଦିଆଯାଇଥିଲା । ରାଜ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା କରାଯାଇ ତିନୋଟି ରଥକାଠକୁ ବନ୍ଦାପନା ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀଜୀଉଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ବିଶ୍ବକର୍ମା ମହାରଣା ମାନେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରିଥିଲେ ।

ଦୁଇଜଣ ଦେଉଳ ପୁରୋହିତ, ୧୧ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ବନଯାଗ ନୀତିରେ ଚାଳିଘରେ ହୋମ କରାଯାଇଥିଲା । ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ ପରେ ସ୍ବର୍ଣ୍ଣ କୁରାଢୀରେ ରଥକାଠ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟା ପର୍ବରେ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଶୁଭାରମ୍ଭ ହୋଇଛି । ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ଓ ଆଜ୍ଞାମାଳ ପାଇବା ପରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ,ଭୂଦେବୀ ଶ୍ରୀଦେବୀ ବିଜେ କରିଥିଲେ ।

ସିଂହଦ୍ବାର ଠାରେ ସୁସଜ୍ଜିତ ମହାପ୍ରଭୁ ମଣିବିମାନ ଓ ପାଲିଙ୍କିରେ ବିଜେ କରିଥିବା ବେଳେ ପଛରେ ପଞ୍ଚ ମହାଦେବ ଯଥା ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ବର, ଶ୍ରୀମାର୍କଣ୍ଡେଶ୍ବର ,ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠେଶ୍ବର ଏପରି ୧୦ଟି ଚଳନ୍ତି ପ୍ରତିମା ଘଣ୍ଟ ଘଣ୍ଟୁଆଙ୍କ ସହ ପାରମ୍ପରିକ କାହାଳୀ ବାଦ୍ଯର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ଚକଡାକୁ ବିଜେ କରିଥିଲେ । ଚକଡାରେ ରୂପା ପିଙ୍ଗଣରେ ଥିବା ସୁବାସିତ ଜଳରେ ପାଦଧ୍ବତ କରାଯାଇଥିଲା । ଦୁଇଟି ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପ ନୌକାରେ ଚାପ ଖେଳିଥିଲେ । ପୁଷ୍କରିଣୀ ମଝିରେ ଥିବା ଚାପ ମନ୍ଦିରରେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୂର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ ଓ ଗୋଲାପ ବ୍ଯବହାର କରାଯାଇ ସୁବାସିତ ଜଳ ପ୍ରସ୍ତୁତ ହୋଇଥିଲା ।

ସେଇ କୁଣ୍ଡରେ ଚଳନ୍ତି ପ୍ରତିମା ମାନେ ବୁଡ ପକାନ୍ତି । ନନ୍ଦା ଓ ଭଦ୍ରା ଚାପ ନୌକା ସମେତ ବୈଜୟନ୍ତୀ ଡଙ୍ଗା ବାଜା କାହାଳୀ ସହ ଜଳ କ୍ରୀଡା କରିଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ରଙ୍ଗୀନ ଆଲୋକରେ ଝଲମଲ ହୋଇ ଆଲୋକିତ କରୁଥିବା ବେଳେ ସୁସଜ୍ଜିତ ସୁଗନ୍ଧିତ ପୁଷ୍ପରେ ମହକୁଛି ଚନ୍ଦନ ଚକଡା । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଭକ୍ତଙ୍କ ସମାଗମ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧା ଭକ୍ତିର ସହ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଲକ୍ଷାଧିକ ଭକ୍ତ ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନି ଦେଇ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଲା ଦର୍ଶନ କରିଥିଲେ ।
No Result
View All Result