No Result
View All Result
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଜାତୀୟ ଗୁରୁତ୍ବ ବହନ କରୁଥିବା ପ୍ରତିଷ୍ଠାନ ହାଇଦ୍ରାବାଦ ସ୍ଥିତ ଜାତୀୟ ଫୁଟୱେର ଡିଜାଇନ ଏବଂ ବିକାଶ ପ୍ରତିଷ୍ଠାନ ପକ୍ଷରୁ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ଘୋଷଣା କରାଯାଇଛି । ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନଟି ଲୋହିତ ରେଡ୍ଡୀ କହିଛନ୍ତି, ଜୋତା, ଫେଶନ, ଖୁଚୁରା ବ୍ୟବସାୟ ଏବଂ ଚମଡ଼ା ସରଞ୍ଜାମ କ୍ଷେତ୍ରରେ ଦକ୍ଷତା ଶୂନ୍ୟସ୍ଥାନ ପୂରଣ କରିବା ଲାଗି ଏହି ପ୍ରତିଷ୍ଠାନ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରିଥାଏ। ପ୍ରତିଷ୍ଠାନର ଅଭିନବ କାର୍ଯ୍ୟକ୍ରମରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଇଛି । ଏହି ପ୍ରତିଷ୍ଠାନକୁ ୨୦୧୭ରେ ଏଫଡିଡିଆଇ ଆଇନ ଅଧୀନରେ ଏକ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରତିଷ୍ଠାନ ଭାବେ ଘୋଷଣା କରାଯାଇଥିଲା।
ଏଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ବହୁ ପ୍ରତିଷ୍ଠିତ ସଂସ୍ଥାରେ ଶତପ୍ରତିଶତ ନିଯୁକ୍ତି ମିଳିଥାଏ। ପ୍ରତିଷ୍ଠାନରେ ଆଧୁନିକ ଭିତ୍ତିଭୂମି ସହିତ ସ୍ମାର୍ଟ ଶ୍ରେଣୀଗୃହ, ଉଚ୍ଚ ପ୍ରଯୁକ୍ତିସମ୍ପନ୍ନ ପରୀକ୍ଷାଗାର ଓ ପରୀକ୍ଷଣ କେନ୍ଦ୍ର, ଦକ୍ଷତା ଆଧାରିତ ପାଠ୍ୟକ୍ରମ, ଏଆଇ, ଏଆର ଏବଂ ଦୀର୍ଘସ୍ଥାୟିତ୍ୱ ଧାରାକୁ ନେଇ ପ୍ରଶିକ୍ଷଣ ସୁବିଧା ରହିଛି । ଏହି ପ୍ରତିଷ୍ଠାନରେ ଜୋତା ଡିଜାଇନ ଓ ଉତ୍ପାଦନ, ଫେସନ ଡିଜାଇନ, ଚମଡ଼ା, ଲାଇଫଷ୍ଟାଇଲ୍ ଓ ଉତ୍ପାଦନ ଡିଜାଇନ, ରିଟେଲ୍ ଓ ଫେସନ ମର୍ଚ୍ଚାଣ୍ଡାଇଜ୍ ଆଦି ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକୋତ୍ତୋର ଶ୍ରେଣୀରେ ପିଲାମାନେ ପାଠ ପଢ଼ିପାରିବେ। ଏହାବ୍ୟତୀତ ବିଭିନ୍ନ ବିଷୟରେ ପିଏଚଡି ଡକ୍ଟରାଲ ପ୍ରୋଗ୍ରାମ ମଧ୍ୟ ରହିଛି ।
ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଗତବର୍ଷ ନଭେମ୍ବର ୧୫ରେ ଆବେଦନ ଆରମ୍ଭ କରାଯାଇଥିଲା । ଆମେଦନର ଶେଷ ତାରିଖ ୨୦ ଏପ୍ରିଲ୍ ୨୦୨୫ ରହିଛି। ପ୍ରବେଶିକା ପରୀକ୍ଷା ଆସନ୍ତା ମଇ ୧୧ ତାରିଖରେ ଅନୁଷ୍ଠିତ ହେବ । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜୁନ୍ରେ ଘୋଷଣା କରାଯିବ। ଜୁନ-ଜୁଲାଇରେ କାଉନସେଲିଂ ଓ ନାମଲେଖା ଆରମ୍ଭ ହେବ। ଜୁଲାଇ ୧୫ରେ ପାଠପଢ଼ା ଆରମ୍ଭ ହେବ । ଆଗ୍ରହୀ ପ୍ରାର୍ଥମୀମାନେ https://www.fddiindia.com/ ୱେବସାଇଟରେ ଆବେଦନ କରିପାରିବେ।
No Result
View All Result