ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” କୁ ଲୋକାର୍ପଣ କରିଛନ୍ତି । କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏକ ଗଜ ଶାବକ (ହାତୀ ଛୁଆ)କୁ ଉଦ୍ଧାର କରିଥିଲେ ।
ପରେ ତାକୁ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା । ତାର ଏହି ସଂଘର୍ଷମୟ କାହାଣୀ ଉପରେ “ଆଶା” ଆଧାରିତ । ଯିଏକି ବର୍ତ୍ତମାନ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଅଛି । ଏହି ମାସକଟ୍ “ଆଶା” ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ ।
ଓଡ଼ିଶା ପୋଲିସ ଏହି ଚାମ୍ପିୟନସିପ୍ କୁ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଶ୍ରୀ ଖୁରାନିଆ ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସେ ସର୍ବଭାରତୀୟ ପୋଲିସ୍ କ୍ରୀଡା ନିୟନ୍ତ୍ରଣ ବୋର୍ଡ୍ କୁ ଧନ୍ୟବାଦ ଜଣାଇଥିଲେ । ଏହି ଚାମ୍ପିୟନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅପ୍ରେଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ।
















