ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆଇସିଏଆର୍-କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା (ସିଫା)ର ୩୮ତମ ବାର୍ଷିକ ଉତ୍ସବ କୌଶଲ୍ୟାଗଂଗସ୍ଥିତ ମୁଖ୍ୟାଳୟ ଠାରେ ଆଜି ପାଳିତ ହୋଇଯାଇଛି । ୧୯୮୭ ମସିହା ଆଜିର ଦିନରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତରଫରୁୂ ସିଫା ପ୍ରତିଷ୍ଠା ହୋଇଥିଲା । ଏହି ଉତ୍ସବରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଂଜୟ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମଧୁର ଜଳକୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ମହାପାତ୍ର ସିଫାର ୩୮ତମ ବାର୍ଷିକ ଉତ୍ସବ ଅବସରରେ ଅଭିନନ୍ଦନ ଜଣାଇଥିଲେ ।
ଏହି ଅନୁଷ୍ଠାନଟି ଗବେଷଣା, ପ୍ରକାଶନ ଓ ପ୍ୟାଟେଂଟ ହାସଲ କ୍ଷେତ୍ରରେ ପ୍ରମୁଖ ସଫଳତା ହାସଲ କରିବା ସହିତ ଏହାର ଗବେଷଣାଲବ୍ଧ ବ୍ୟବହାରିକ ଜ୍ଞାନକୁ କୃଷକମାନଙ୍କ ନିକଟରେ ପହଂଚାଇବା ପାଇଁ ପ୍ରାଥମିକତା ଦେଇଛି । ସାଧାରଣ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ, ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଓ ମହିଳା ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ରାଷ୍ଟ୍ରର ଅଗ୍ରଗତିରେ ସହାୟକ ହେବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ସେ ପ୍ରକାଶ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ୍ ପ୍ରତାପ ସମ୍ମାନୀତ ଅତିଥିରୂପେ ଯୋଗଦାନ କରିଥିଲେ ।
ପ୍ରାକ୍ତନ କର୍ମଚାରୀଙ୍କୁ ସିଫାଦ୍ୱାରା ସମ୍ମାନୀତ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, କୌଣସି ଅନୁଷ୍ଠାନର ସଫଳତା ବର୍ତମାନ କାର୍ଯ୍ୟରତ ଥିବା କର୍ମଚାରୀଙ୍କ କାର୍ଯ୍ୟଯୋଗୁ କେବଳ ନୁହେଁ ପରନ୍ତୁ ପ୍ରାକ୍ତନ କର୍ମଚାରୀଙ୍କ କଠୋର ପରିଶ୍ରମ, ସମର୍ପିତ ମନୋଭାବ, ଅଧ୍ୟବସାୟ ଯୋଗୁଁ ସମ୍ଭବ ହୋଇପାରିଛି । ସେମାନଙ୍କର ପରିଶ୍ରମକୁ ପ୍ରଶଂସାକରି ତାଙ୍କୁ କୃତଜ୍ଞତା ଜଣାଇଲେ ବର୍ତମାନ ଏବଂ ଭବିଷ୍ୟତର ପିଢୀମାନେ କାର୍ଯ୍ୟକରିବାକୁ ଉତ୍ସାହିତ ହେବେ ।
ଭାରତୀୟ ଜଳ ପରିଚାଳନା ସଂସ୍ଥାର ନିର୍ଦ୍ଦେଶକ ଡ. ଅର୍ଜମାଦତ ଷଡ଼ଙ୍ଗୀ କହିଥିଲେ ଯେ ବିଶ୍ୱସ୍ତରୀୟ ମାନ୍ୟତା ବଜାୟ ରଖିବା ପାଇଁ ଗବେଷଣା କ୍ଷେତ୍ରରେ ପରିସ୍ପର ମଧ୍ୟରେ ଦୃଢ ସହଯୋଗ ରଖିବା ସହିତ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କଲେ ଆସୁଥିବା ସମସ୍ୟାର ସମାଧାନ ହୋଇପାରିବ । ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଡ. ସୁଜୟ ରକ୍ଷିତ୍ କହିଥିଲେ ଯେ ବାର୍ଷିକ ଉତ୍ସବ ଆତ୍ମ ବିଶ୍ଳେଷଣ, ସ୍ୱମୂଲ୍ୟାଂକନ ପାଇଁ ଏକ ସୁଯୋଗ ସୃଷ୍ଟି କରିଥାଏ ।