No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଏକ ପୂର୍ବପ୍ରସ୍ତୁତି ବୈଠକ ସମିତିର ସଭାପତି ଲଳିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତି ଦୁଇ ବର୍ଷରେ ଥରେ ମା’ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ଠାକୁରାଣୀ ଯାତ୍ରା ସମଗ୍ର ବାଲିଗୁଡା ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳାର ସହ ଜାକ ଜକମକରେ ପାଳନ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଲୋଡ଼ା ଯାଇଥିଲା l
ଏହି ଯାତ୍ରା ନିମନ୍ତେ ଆସନ୍ତା ଏପ୍ରିଲ ମାସ ୨୨ ତାରିଖରେ ଯଥା ରୀତିନୀତି ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ମେ ମାସ ୬ ତାରିଖ ମଙ୍ଗଳବାର ଦିନ ଠାରୁ ଯାତ୍ରା ଆରମ୍ଭ ହୋଇ ଜୁନ ୨ ତାରିଖ ସୋମବାର ଦିନ ଉଦଯାପିତ ହେବ l ଦୀର୍ଘ ୨୮ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନିମନ୍ତେ ମେ ୬ ତାରିଖରେ ମା’ କନକଦୁର୍ଗା ନୁଆସାହି, ମା’ ଡେଙ୍ଗସିଲ, ମା’ ବରାଳଦେବୀ ଓ ମା’ ମହାମାୟୀଙ୍କ ଠାରୁ ଆଜ୍ଞାମାଳ ଆଣି ଉକ୍ତ ଦିନ ସନ୍ଧ୍ୟାରେ ମା’ପାଟଖଣ୍ଡାଙ୍କ ଏହି ଚାରି ଭଉଣୀ ଙ୍କୁ ଧରି ମହା ପଟୁଆରରେ ଅସ୍ଥାୟୀ ପିଠ ମା ‘ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣକୁ ଯିବେ ଓ ତା’ ପରଠାରୁ ବିଶ୍ରାମ ଦିନ ବ୍ୟତିତ ପ୍ରତ୍ୟେକ ଦିନ ସାହିକୁ ସାହି ବୁଲିବେ।
ଯାତ୍ରା ସମୟରେ ଅପେରା, ମେଲୋଡି ସହ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବା ସହ ପରମ୍ପରା ସହିତ ଜଡିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଏଥି ନିମନ୍ତେ ବାଲିଗୁଡାର ସବୁ ସାହି କମିଟି ସହ ସାହିକୁ ସାହି ଯାଇ ସମିତି ତରଫରୁ ଆଲୋଚନା କରାଯିବ l ପ୍ରତ୍ୟେକ ସାହି ଏବଂ ସହରକୁ ଆଲୋକ ତୋରଣ ଏବଂ ସଫାରଖି ସାଜସଜା କରି ଯାତ୍ରାକୁ ସଫଳ କରିବାକୁ ଅନୁରୋଧ ମଧ୍ୟ କରାଯିବ ବୋଲି ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା l ଏଥିରେ ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ ଓ ଉପଦେଷ୍ଟା ଡ଼ଃ. ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ଗଙ୍ଗାଧର ଭୋଇ ଓ ପବିତ୍ର ମୋହନ ପାଢୀ ,ସୁଜିତ କମାର ପାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l
No Result
View All Result