୩ ମାସ ଭିତରେ ସରିବ ଶତାୟୁ ବିଦ୍ଯାଳୟର ଉନ୍ନତିକରଣ କାମ ଜୁନ ମାସ ସୁଦ୍ଧା ଉନ୍ନତିକରଣ କାମ ସାରିବାକୁ ଅଧିକାରୀଙ୍କୁ ସାଂସଦଙ୍କ ନିର୍ଦ୍ଦେଶ
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ଗଡ଼ସ୍ଥିତ ୱାର୍ଡ ନ ୪୪ରେ ଥିବା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବିଙ୍କ ଅନୁରୋଧକ୍ରମେ ୧୦୬ ବର୍ଷର ଏହି ପୁରୁଣା ସ୍କୁଲକୁ ଯାଇ ଏହାର ସମସ୍ୟା ବୁଝିବା ସହ ଓ ଉନ୍ନତି ନେଇ ସମୀକ୍ଷା କରିଥିଲେ। ଅନେକ ଦିନ ଧରି ବଡ଼ଗଡ଼ ଗ୍ରାମବାସୀଙ୍କର ଏହି ବିଦ୍ଯାଳୟର ସମସ୍ୟା ସମାଧାନ ପାଇଁ ଦାବି ରହି ଆସିଥିଲା । ଏହାର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକମାନେ ଭୁବନେଶ୍ବର ସାଂସଦଙ୍କୁ ଏକାଧିକ ଥର ନିବେଦନ କରିଥିଲେ । ଏହି ଅନୁରୋଧ ରକ୍ଷା କରି ଭୁବନେଶ୍ବର ସାଂସଦ ଏହି ପୁରାତନ ଶତାୟୁ ବିଦ୍ୟାଳୟକୁ ଗସ୍ତ କରିଥିଲେ । ଏହି ପୁରାତନ ସ୍କୁଲରେ ରହିଛି ଅନେକ ସମସ୍ୟା ।
ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସାଇକେଲ ରଖିବାକୁ ଷ୍ଟାଣ୍ଡ ନାହିଁ । ଏଥିପାଇଁ ସେମାନେ ବହୁ ସମସ୍ୟା ଭୋଗୁଛନ୍ତି । ବହୁତ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ସେମାନଙ୍କ ଭିତରୁ ଅନେକ ଖେଳରେ ଆଗ୍ରହ ରଖୁଛନ୍ତି । ଟିମ କରି କ୍ରିକେଟ, ଫୁଟବଲ ଓ ଖୋ ଖୋ ଭଳି ଅନେକ ଖେଳ ଖେଳୁଛନ୍ତି । ଅନେକ ଛାତ୍ରଛାତ୍ରୀ ଖୋ ଖୋ ସମେତ ଅନ୍ୟ ଖେଳରେ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିଛନ୍ତି । କିନ୍ତୁ ଖେଳ ପଡିଆ ନ ଥିବାରୁ ସେମାନେ ସୁବିଧାରେ ଖେଳି ପାରୁନାହାନ୍ତି । ଖେଳପଡ଼ିଆର ବିକାଶ ପାଇଁ ବିଡିଏ ପାଖରେ ପ୍ରସ୍ତାବ ଅଛି, କିନ୍ତୁ ଏହା ଆଗେଇ ପାରୁନି । ୨୦୨୧ରେ ବିଡିଏ ଏଥିପାଇଁ ପୁଲିସ ହାଉସିଂ ବୋର୍ଡ କର୍ପୋରେସନକୁ ୪କୋଟି ଟଙ୍କା ଦେଇଥିଲା l