No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ଚିଲିକା ବ୍ଲକ ଅଧିନ ଆଙ୍କୁଲାଚଟି ସ୍ଥିତ ହାଇସ୍କୁଲ ପଡ଼ିଆରେ ଦୁଇଦିନ ଧରି ଅନୁଷ୍ଠିତ ସପ୍ତଦୋଳ ମେଳଣ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଶୁକ୍ରବାର ବିଳମ୍ବିତ ରାତ୍ରିରେ ଆଖପାଖ ଗ୍ରାମାଞ୍ଚଳରୁ ସୁସଜ୍ଜିତ ଦୋଳ ବିମାନରେ ୨୨ ଠାକୁର ପାଟପଟୁଆର ସହ ଶୋଭାଯାତ୍ରାରେ ସପ୍ତଦୋଳ ପଡ଼ିଆକୁ ଆଗମନ କରିଥିଲେ l ଉତ୍ସବର ସ୍ଥାନାଧିପତି ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ଭାବେ ଶ୍ରୀ କଳିଯୁଗେଶ୍ୱର ଦେବ ପ୍ରଥମେ ମେଳଣ ପଡ଼ିଆକୁ ବିଜେ କରିଥିଲେ l ଉଭୟ ଠାକୁର ନିଜ ନିଜ ଆସନରେ ଉପବେସନ ହେବା ପରେ ପର୍ଯ୍ୟାୟ କ୍ରମେ ନିମନ୍ତ୍ରିତ ଅନ୍ୟ ଠାକୁର ମାନେ ପାଟପଟୁଆର ସହ ପଡିଆକୁ ବିଜେ କରି ସ୍ଵ ଆସ୍ଥାନ ଗ୍ରହଣ କରିଥିଲେ l

ମଙ୍ଗଳବାର ସକାଳୁ ଦିନ ତମାମ ଠାକୁରଙ୍କୁ ଯଥାରୀତି ପୂଜାର୍ଚ୍ଚନା ଓ ଭୋଗ ଲାଗି ହେବା ସହ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଥି ସହ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ରାମ ନାଟକ ପରିବେଷିତ ହୋଇଥିଲା l ଅପରାହ୍ନରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବାଲୁଙ୍କେଶ୍ୱର ଦେବ ଓ କଳିଯୁଗେଶ୍ୱର ଦେବ ପଡ଼ିଆକୁ ବିଜେ କରିବା ପରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ଆଜ୍ଞାମାଳ ସହ ରଘୁନାଥପୁର ଗ୍ରାମର ଗୁପ୍ତେଶ୍ୱର ଦେବ, ଶିଙ୍ଗେଶ୍ୱର ଗ୍ରାମର ସିଙ୍ଗିନାଥ ଦେବ ଏବଂ କୁଞ୍ଜ ବିହାରୀ ଦେବ, ପାଇକ କୁଶଡ଼ିହ ଗ୍ରାମର ଲକ୍ଷ୍ମୀ ନାରାୟଣ ଦେବ ଓ ରାଧାମୋହନ ଦେବ, ପ୍ରାଣଦେଇପୁର ଗୋପୀନାଥ ଦେବ, ଖଣ୍ଡୁଆଳକୋଟ ଜଳେଶ୍ୱର ଦେବ,

ଧୂଆଁଳ ଗୋପାଳଜୀଉ ଦେବ, ଦାମୋଦର ପୁର ଦଧିବାମନ ଦେବ, ସାମନ୍ତସିଂହାର ପୁର ବୃନ୍ଦାବନ ଚନ୍ଦ୍ର ଦେବ, ରାହାଣବେଲି ଗ୍ରାମର ସୋମନାଥ ଦେବ ଆଦି ଠାକୁର ମାନେ ମେଳଣ ପର୍ବରେ ସାମିଲ ହୋଇଥିଲେ l ହରିବୋଲ, ହୁଳହୁଳି, ଘଣ୍ଟକାହାଳି ସହ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ମେଳଣ ସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା l ଏହି ଉତ୍ସବ ଦେଖିବା ପାଇଁ ପ୍ରାୟ ୩୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ମେଳଣ ସରିବା ପରେ ସମସ୍ତ ଠାକୁର ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ l ୨୨ ଠାକୁରଙ୍କ ଦୋଳ ବିମାନରେ ବିଦାୟ ମେଲାଣି ଦୃଶ୍ୟ ଅତ୍ୟନ୍ତ ମନୋରମ ଏବଂ ହୃଦୟସ୍ପର୍ଶୀ ଥିଲା l
ଚଳିତ ବର୍ଷ ଲମ୍ବୋଧରପୁର ଗ୍ରାମବାସୀ ଓ ସପ୍ତଦୋଳ କମିଟିର ମିଳିତ ସହଯୋଗ କ୍ରମେ ଏହି ଉତ୍ସବ ଶାନ୍ତିଶୃଙ୍ଖଳା ସହ ସମ୍ପାଦନ ହୋଇଥିଲା l ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡା ଏବଂ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାପକ ପୋଲିସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l ଏଥି ସହ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୂର୍ଣରୂପେ ସହଯୋଗ ପ୍ରଦାନ କରାଯାଇଥିଲା l
No Result
View All Result