No Result
View All Result
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାୟପୁର :- ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଶୋକର ଛାୟା ଖେଳିଯାଇଛି । ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କର ପୌରହିତ୍ୟରେ ଏଠାକାର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ଶୋକସଭାରେ ଡା. ପ୍ରଧାନଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଏହି ସମାବେଶକୁ ସମ୍ବୋଧନ କରି ଛତିଶଗଡ଼ ବୃହତ ଓଡ଼ିଆ ସମାଜର ସଭାପତି ଏବଂ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ମିଶ୍ର, ଡା. ପ୍ରଧାନ ଓ ତାଙ୍କର ପରିବାର ସହିତ ନିଜର ଖୁବ ଅନ୍ତରଙ୍ଗ ସମ୍ପର୍କ ଥିଲା ବୋଲି ଦର୍ଶାଇଥିଲେ । ଡା. ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଜଣେ ଖୁବ ଲୋକପ୍ରିୟ ରାଜନେତା, ସୁଦକ୍ଷ ପ୍ରଶାସକ, ସେବାକାରୀ ଡାକ୍ତର, ସରଳ, ସଚ୍ଚୋଟ, ଦରଦୀ ପରୋପକାରୀ ମଣିଷ,
ଗରିବ ଜନତା ଏବଂ ଦୁଃଖୀରଙ୍କିଙ୍କର ତ୍ରାଣକର୍ତ୍ତା ଥିଲେ ବୋଲି ଶ୍ରୀ ମିଶ୍ର, ତାଙ୍କର ଭାଷଣରେ ଦର୍ଶାଇଥିଲେ । ଡା. ପ୍ରଧାନ ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏବଂ ସାଧରଣ ଜନତା ଜନାର୍ଦ୍ଦନଙ୍କୁ ସଦା ସର୍ବଦା ସାଙ୍ଗରେ ନେଇ ଚାଲୁଥିବା ଶ୍ରୀ ମିଶ୍ର ସୂଚାଇଥିଲେ । ତାଙ୍କର ବିୟୋଗରେ ଦେଶ ଓ ଭାଜପାର ଅପୂରଣୀୟ କ୍ଷତି ଘଟିଥିବା ବେଳେ ବ୍ୟକ୍ତିଗତ ଭାବରେ ସେ ବିଶେଷ ମର୍ମାହତ ହୋଇଥିବା ଶ୍ରୀ ମିଶ୍ର କହିଥିଲେ ।
ଭଗବାନ ତାଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଦୁର୍ବିସହ ଦୁଃଖକୁ ସହିବା ପାଇଁ ତାଙ୍କର ସୁପୁତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ପରିବାର ସଦସ୍ୟ ଏବଂ ବନ୍ଧୁ ପରିଜନଙ୍କୁ ଅସୀମ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରିବାକୁ ସେ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ରାୟପୁର ନଗର ନିଗମରେ ସଭାପତି ସୂର୍ଯ୍ୟକାନ୍ତ ରାଠୋର, ଏମ୍. ଆଇ.ସି ସଦସ୍ୟ ସଞ୍ଜନା ହିୟାଲ, ପାର୍ଷଦ କୈଳାଶ ବେହେରା, ଖଗପତି ସୋନି, ଯୁବନେତା ସୌରଭ ମିଶ୍ର ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତଃ ପ୍ରଧାନଙ୍କର ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସାଙ୍ଗକୁ ତାଙ୍କର ସ୍ମୃତି ଚାରଣ କରିଥିଲେ ।
No Result
View All Result