୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଦିଲ୍ଲୀ :- ମହିଳାମାନେ ମହାଶକ୍ତିର ଭଣ୍ଡାର ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି।ଏଠାରେ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଚତୁର୍ଥ ଶକ୍ତି ଉତ୍ସବରେ ଉଦବୋଧନ ଦେଇ ଆମନ୍ତ୍ରିତ ଅତିଥି ଓ ବକ୍ତାମାନେ ବିଶ୍ଵଭରି ନାରୀ ଜାତିର ମଧୁରତା, ମହାନତା ଓ ମହନୀୟତା ଉପରେ ଆଲୋକପାତ କରିଥଲେ। ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ଏହି ସମାରୋହରେ ଓଡ଼ିଶା ସମେତ ଭାରତ ବର୍ଷର ବିଭିନ୍ନ ରାଜ୍ୟ ଏବଂ ବିଶ୍ୱର ବିଭିନ୍ନ କୋଣରୁ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ, ପ୍ରବାସୀ ଓଡ଼ିଆ ତୁଙ୍ଗନେତୃବର୍ଗ ଏବଂ ଓଡ଼ିଶା ସମାଜର ପ୍ରତିନିଧିମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ ।
ମୁଖ୍ୟ ଉତ୍ସବ ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀମାର୍ଗ ସ୍ଥିତ ସିଭିଲ ସର୍ଭିସ୍ ଅଫିସର୍ସ ଇନଷ୍ଟିଚ୍ୟୁଟ (ସି.ଏସ୍ . ଓ.ଆଇ. )ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଭାସୀ ମଞ୍ଚରେ ପଚାଶରୁ ଉର୍ଦ୍ଧ୍ବ ରାଷ୍ଟ୍ରର ପ୍ରମୁଖ ବୈଶିକ ଓଡ଼ିଆମାନେ ଏଥିରେ ସାମିଲ ହୋଇଥିବା ଦେଖା ଯାଇଥିଲା। ସମାରୋହର ମହତ୍ତ୍ଵ ଓ ମାଧୁର୍ଯ୍ୟ ସହିତ ତାଳ ମିଳାଇ ସି. ଏସ୍ . ଓ. ଆଇ ସ୍ଥିତ ବାଟିକା ମୁକ୍ତାକାଶ ପ୍ରାଙ୍ଗଣକୁ ଗୋଲାପି ରଙ୍ଗର କପଡ଼ା ଓ ଆଲୋକମାଳାରେ ବେଶ୍ ସୁନ୍ଦର ଭାବରେ ସଜା ଯାଇଥିଲା।ସମଗ୍ର ପରିବେଶ ଆନନ୍ଦ,ଉଲ୍ଲାସ ଓ ଉତ୍ସବମୁଖର ହୋଇ ପଡ଼ିଥିବା ଲକ୍ଷ୍ଯ କରାଯାଇଥିଲା ।
ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂଆଦିଲ୍ଲୀର ସାଂସଦ ବାଂଶୁରୀ ସ୍ବରାଜ, ସାରା ବିଶ୍ୱରେ ମହିଳାମାନଙ୍କ ସମ୍ମୁଖରେ ଅଧୁନା ମୁଖ୍ୟତଃ ତିନୋଟି ଆହ୍ବାନ ଯଥା: ସାମାଜିକ ଆଭିମୁଖ୍ୟ ପରିବର୍ତ୍ତନ, ଆର୍ଥିକ ସ୍ଵଚ୍ଛଳତା ଏବଂ ରାଜନୈତିକ ସଶକ୍ତିକରଣ ରହିଥିବା ଦର୍ଶାଇ ,ନାରୀ ଜାତିର ଉତ୍ଥାନ ପାଇଁ କେବଳ ସେମାନଙ୍କୁ ସଶକ୍ତ ନୁହଁ, ସେମାନଙ୍କର ନେତୃତ୍ଵରେ ବିକାଶର ଯାତ୍ରାକୁ ସମ୍ଭବପର କରାଇବାର ଆବଶ୍ୟକତା ଥିବା କହିଥିଲେ। ଏହି ଉତ୍ସବରେ ସ୍ଵାଗତ ଭାଷଣ ପ୍ରଦାନ କରି ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ସଂସ୍ଥାର ଅଭୂତପୂର୍ବ ପ୍ରଗତି ପଛରେ ବିଶ୍ୱ ଭରି ଓଡ଼ିଆ ମାନଙ୍କର ଅତୁଟ ସମର୍ଥନ ଓ ଅଶେଷ ଆଶୀର୍ବାଦ ରହିଥିବା ଦର୍ଶାଇଥିଲେ।
ୱାଓସୋର ପ୍ରତିଷ୍ଠାତ୍ରୀ ଡଃ. ଅରୁନ୍ଧତୀ ଦେବୀ, ମହିଳାମାନଙ୍କର ଆର୍ଥିକ, ଶୈକ୍ଷକ ଏବଂ ସାମାଜିକ କ୍ଷେତ୍ରରେ ପ୍ରଗତି ଉପରେ ଜୋର ଦେଇଥିଲେ। ପ୍ରଖ୍ୟାତ ଚିତ୍ରଶିଳ୍ପୀ ଯତୀନ ଦାସ, ମହିଳା ଓ ପୁରୁଷ ପରସ୍ପରର ପରିପୂରକ ବୋଲି ସୂଚାଇ ନାରୀ ଶକ୍ତିକୁ ସ୍ୱୀକୃତି ଓ ସମ୍ମାନ ଜଣାଇବାକୁ ପରାମର୍ଶ ଦେଇଥିଲେ।ଯାଜପୁରର ସାଂସଦ ଡଃ. ରବୀନ୍ଦ୍ର ନାରାୟଣ ବେହେରା ମହିଳାମାନଙ୍କର ପ୍ରତିଭା ଓ ପାରଦର୍ଶିତାକୁ ପରଖିବା ଓ ପୁରସ୍କୃତ କରିବା ଭଳି ୱାଓସୋର ସାଧୁ ଉଦ୍ୟମକୁ
ଭୂୟସୀ ପ୍ରଶଂସା କରିଥିଲେ।ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ ୱାଓସୋର ପରବର୍ତ୍ତୀ ଅଧିବେଶନ ଉତ୍ତର ପ୍ରଦେଶରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କେରଳର ପୂର୍ବତନ ପୁଲିସ ଡିଜି ସଞ୍ଜୀବ ପାଟ୍ଟଯୋଶୀ, ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ୱାଓସୋର ମହାସଚିବ ଶିବ ରଞ୍ଜନ ବିଶ୍ଵାଳ, ମହିଳା ଶାଖାର ସଭାପତି ଡଃ. ସୁନନ୍ଦା ମିଶ୍ର ପଣ୍ଡା, ସାଧାରଣ ସମ୍ପାଦକ ଚିଦାତ୍ମିକା ଖଟୁଆ ଓ ସାଙ୍ଗଠନିକ କମିଟିର ଅଧ୍ୟକ୍ଷ ସୁଧୀର ଦାଶ ପ୍ରମୁଖ ସଭାକୁ ସମ୍ବୋଧନ କରିଥିଲେ। ସ୍ଵାଗତ ସମିତିର ଅଧ୍ୟକ୍ଷ ଆଇନଜୀବୀ ସସ୍ମିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।