No Result
View All Result
୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କୁଦିଆରୀ,ଜଟଣୀ :- ଫାଲ୍ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ । ଏହାରି ଭିତରେ ଆରମ୍ଭ ହୁଏ ଦୋଳଯାତ୍ରା । ତେବେ ଦୋଳଯାତ୍ରା ଦୁଇ ସ୍ତରରେ ହୋଇଥାଏ । ଫଗୁ ଦଶମୀରୁ ଦୋଳ ପୂର୍ଣ୍ଣୀମା ଗୋଟିଏ ସ୍ତର ଏବଂ ଦୋଳ ପୂର୍ଣ୍ଣିମା ଠାରୁ ଦଶଦୋଳ ପର୍ଯ୍ୟନ୍ତ ଆଉ ଗୋଟିଏ ସ୍ତର । ତେବେ ପଞ୍ଚୁଦୋଳ ଲାଗି ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିବା ଦୋଳ ମେଳଣ ମଧ୍ୟରେ ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ମେଳଣ, ସେହିପରି ଓଳକଣା ମେଳଣ ଏବଂ ବାଳକାଟି ପଞ୍ଚୁଦୋଳ ମେଳଣ ରହିଥାଏ । ତେବେ ଦୋଳ ପୂର୍ଣ୍ଣୀମା ପର ଠାରୁ ତ୍ରିଦୋଳ, ପଞ୍ଚୁଦୋଳ, ସାତଦୋଳ, ଦଶଦୋଳ ଭଳି ମେଳଣ ରହିଛି ।
ତେବେ ହରିରାଜ ପୁର ମେଳଣର ବିଶେଷତ୍ୱ ହେଲା- ଏଠାରେ ଜମାଣ ରାତ୍ରିରେ ମଧ୍ୟରାତ୍ରୀରୁ ଭୋର୍ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଆତସବାଜି କାର୍ଯ୍ୟକ୍ରମ ଏବଂ ମେଳଣ ଦିନ ଗୋଧୂଳି ଲଗ୍ନରେ ଠାକୁରଙ୍କ ମେଳଣ ତଥା ହରିହର ଭେଟ । ଏହି ଯାତ୍ରା ଦେଖିବା ଲାଗି ଓଡ଼ିଶା ସମେତ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ତଥା ଦର୍ଶକ ଆସିଥାନ୍ତି । ଆସନ୍ତା ୧୯ ତାରିଖ ଦିନ ହରିରାଜପୁର ଜମାଣ ଏବଂ ୨୩ ତାରିଖ ଦିନ ଠାକୁର ମେଳଣ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଚଳିତ ବର୍ଷ ମେଳଣର ମୁଖ୍ୟ ଆକର୍ଷଣ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ନଦିଆ ସଂକୀର୍ତନ ମଣ୍ଡଳୀଙ୍କ ଶୋଭାଯାତ୍ରା । ସ୍ୱଇଚ୍ଛାରେ ୨୦୦୦ ମଣ୍ଡଳ ନଦିଆ ସଂକୀର୍ତନ ଦଳ ଏଥର ମେଳଣର ଜମାଣ ପରଦିନ ସାମିଲ ହେବେ ।
ଯାହା ରାଜ୍ୟର ଅନ୍ୟ କୌଣସି ମେଳଣରେ କେବେ ବି ଦେଖିବାକୁ ମିଳିନଥିଲା । ଯାହା ଆଧ୍ୟାତ୍ମିକ ପରିବେଶକୁ ଦ୍ୱିଗୁଣିତ କରିପାରିବ । ଏଥିସହିତ ଏହି ହରିରାଜପୁର ମେଳଣର ମୁଖ୍ୟ ଆକର୍ଷଣ ଜମାଣ ରାତିରେ ଆତସବାଜି ପ୍ରତିଯୋଗିତା । ସନ୍ଧ୍ୟାରୁ ରାତିସାରା ବିଭିନ୍ନ ପ୍ରକାର ବାଣ ଫୁଟିବ । ଏଥି ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ୨୦ରୁ ଉର୍ଦ୍ଧ୍ୱ ପିଣ୍ଡିର ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି । ସେହିପରି ହରିରାଜପୁରର ବିଭିନ୍ନ ସଂଗଠନ ଦ୍ଵାରା ରାତିସାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଘଣ୍ଟ ବାଦ୍ୟ, ପାଇକ ଆଖଡ଼ା, ବିଭିନ୍ନ କଳରଙ୍ଗ, ଶଙ୍ଖ ଧ୍ଵନି, ବାଦ୍ୟବିଚିତ୍ରା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ମେଳଣ କମିଟି ପକ୍ଷରୁ ସୂଚନା ଦିଆଯାଇଛି l
ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ଓ ମେଳଣ ପଡିଆ. ଡେଲାଙ୍ଗ ଥାନା ଅଧିନରେ ରହିଲେ ବି ଜଟଣୀ ଅଞ୍ଚଳରେ ଏହାର ପ୍ରସିଦ୍ଧି ଅଧିକ ରହିଛି । ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ଠାରୁ ପୂର୍ବକୁ ମାତ୍ର ଦୁଇ କିଲୋମିଟର ଗଲେ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପଡ଼େ । ସେଠାରୁ ଏକ କିଲୋମିଟର ଦୂରରେ ସୋମନାଥ ଦେବଙ୍କ ମେଳଣ ପଡ଼ିଆ । ପିପିଲି ଠାରୁ ମାତ୍ର ୮ କିଲୋମିଟର ଦୂରରେ ଏହି ମେଳଣ ପଡ଼ିଆ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରର ସୁନ୍ଦରଦା ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ହରିରାଜପୁର ମେଳଣ ପଡ଼ିଆ ।
ଯୋଗାଯୋଗ ଦୃଷ୍ଟିରୁ ସବୁ ଦିଗକୁ ମେଳଣ ପଡ଼ିଆର ସଂଯୋଗ ରହିଥିବାରୁ ଜମାଣ ଓ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ.ଏହି ଶୈବପୀଠର ମହାତ୍ମ୍ୟ ଅନ୍ୟାନ୍ୟ ଶୈବପୀଠ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିରର ପୂର୍ବ ଓ ପଶ୍ଚିମ ପାଶ୍ୱର୍ରେ ଦୁଇଟି ଶ୍ମଶାନ ରହିଥିବାବେଳେ ଉତ୍ତରରେ ହରିରାଜପୁର ଓ ବଙ୍ଗ ଗ୍ରାମ, ଦକ୍ଷିଣରେ ବିସ୍ତୀର୍ଣ୍ଣ କୃଷିକ୍ଷେତ୍ର ଓ ଚିରସ୍ରୋତା ଦୟାନଦୀ । ଏହି ପୀଠରେ ରହିଥିବା ପୁଷ୍କରିଣୀରେ ସ୍ନାନକରି ପ୍ରଭୁଙ୍କୁ ଦର୍ଶନ କଲେ ଦୂରାରୋଗ୍ୟ ରୋଗ ମଧ୍ୟ ଭଲ ହୋଇଥାଏ ।
ପୀଠର ଅନ୍ୟଏକ ବିଶେଷତ୍ୱ ହେଲା ସବୁ ଶୈବପୀଠରେ ବେଲପତ୍ରରେ ଅନ୍ନଭୋଗ କରାଯାଉଥିବାବେଳେ ଏଠାରେ ବେଲପତ୍ର ଓ ତୁଳସୀପତ୍ର ଉଭୟରେ ଭୋଗ ସମର୍ପଣ କରାଯାଏ । କିମ୍ବଦନ୍ତୀ ଓ ଜନଶ୍ରୁତିରୁ ଜଣାଯାଏ ନିକଟସ୍ଥ ଗ୍ରାମର ଏକ ବ୍ୟକ୍ତି କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ପ୍ରଭୁଙ୍କୁ ଆରାଧନା କରିବାବେଳେ ପ୍ରଭୁ ଶ୍ରୀସୋମନାଥ ଦେବ ଉକ୍ତ ବ୍ୟକ୍ତି ପ୍ରତି ସନ୍ତୁଷ୍ଟ ହୋଇ ଆଗକୁ ଆସିବାକୁ କହିଥିଲେ । ହେଲେ ସେହି ବ୍ୟକ୍ତିଟି ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବାରୁ ପ୍ରଭୁ ତା’ ଡାକରେ ବୁଲିପଡ଼ିଥିଲେ । ଯାହାଫଳରେ ଠାକୁର ପଶ୍ଚିମାମୁଖା ହୋଇ ସେହି ଦିନ ଠାରୁ ପୂଜା ପାଉଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି ।
ଠାକୁରଙ୍କ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ପ୍ରତିମାସ ସଂକ୍ରାନ୍ତୀ, ଚତୁର୍ଦ୍ଦଶୀ, ଶୀତଳ ଷଷ୍ଠୀ ଓ ଶିବରାତ୍ରୀ ପର୍ବ ମୁଖ୍ୟ ହୋଇଥିବାବେଳେ ସବୁଠାରୁ ବଡ଼ ପର୍ବ ହେଲା ପଞ୍ଚୁଦୋଳ ଯାତ୍ରା, ଯାହା ଶହଶହ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇଆସୁଛି ବୋଲି ମନ୍ଦିର ସେବାୟତ ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି । ତେବେ ଫାଲଗୁନ ମାସ ପୂର୍ଣର୍ମୀର ୫ଦିନରେ ଯେଉଁ ତିଥି ପଡ଼ୁନା କାହିଁକି ସେହିଦିନ ହିଁ ଏହି ମେଳଣ ଜମାଣ ପର୍ବ ଆରମ୍ଭ ହେବ । ଏହି ମେଳନକୁ ବହୁତ ଲୋକ ବାଣ ବା ଆସତବାଜି କାର୍ଯ୍ୟକ୍ରମ ପାଇଁ ମନେ ରଖିଥାଆନ୍ତି । କିନ୍ତୁ ଏହି ମେଳଣ ଯେ ଏକ ପ୍ରକାରର ଘୋଷଯାତ୍ରା, ବହୁ କମ୍ ଲୋକ ଜାଣନ୍ତି ।
ପ୍ରଭୁ ଜଗନ୍ନାଥଙ୍କ ବଡ଼ଦାଣ୍ଡରେ ରଥ ଚଢ଼ି ମାଉସୀ ମା’ ଘରକୁ ନ’ଦିନ ପାଇଁ ଗଲାଭଳି ପ୍ରଭୁ ସୋମନାଥ ଦେବ ଦୋଳ ବିମାନ ଚଢ଼ି ମେଳଣ ପଡ଼ିଆରେ ୫ଦିନ ପାଇଁ ପାଖ ପଡୋଶୀ ଗାଁ ସବୁର ଆରଧ୍ୟ ଦେବତାମାନଙ୍କ ସହ ଏକାଠି ହୁଅନ୍ତି ଓ ବନ୍ଧୁମିଳନ ହୁଏ । ତା’ପରେ ୫ଦିନରେ ପ୍ରଭୁ ପୁଣି ମନ୍ଦିରକୁୁ ବାହୁଡ଼ି ଥାଆନ୍ତି । ଜଗନ୍ନାଥଙ୍କ ଯେମିତି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥାତ୍ରା କରନ୍ତି, ପ୍ରଭୁ ସୋମନାଥ ମଧ୍ୟ ସେହିଭଳି ସାଙ୍ଗରେ ବାଳମୁକୁନ୍ଦ ଦେବ ଓ ରାଧାକୃଷ୍ଣଙ୍କୁ ନେବାର ପରମ୍ପରା ରହିଛି । ଖାଲି ସେତିକି ନୁହେଁ ରଥଯାତ୍ରାରେ ଯେମିତି ତିନି ରଥର ବ୍ୟବସ୍ଥା ରହିଛି ଏହି ଯାତ୍ରାରେ ସେମିତି ୩ ଦୋଳ ବିିମାନ ଯିବାର ବ୍ୟବସ୍ଥା ରହିଛି ।
ଆଉ ଗୋଟିଏ ବଡ଼ କଥା ହେଲା ଏହି ଯାତ୍ରାର ଉତ୍ପତି ବିଷୟରେ ଇତିହାସ ଯାହା କହେ ତାହା ଏହି ଯେ , ଦିନେ ଏହି ଗାଁରେ କିଛି ଲୋକ ପୁରୀ ରଥ ଯାତ୍ରା ଦେଖି ଫେରୁଥିବା ବେଳେ ଏହି ଯାତ ବା ମେଳଣର ପରିକଳ୍ପନା କରିଥିଲେ । ପ୍ରଥମେ ସ୍ଥାନୀୟ କୁଶମାଟି ଛଣଘର ଗ୍ରାମର ଗତିଶ୍ୱର ଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱର ଦେବ, ଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବ ଓ ବୁଢ଼ାପଡ଼ା ଗ୍ରାମର ସୋମନାଥ ଦେବ ଏହି ପୀଠ ଠାକୁରଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ମେଳଣ । ଧିରେ ଧିରେ ମେଳଣ ବଢ଼ିଲା ଓ ଏଠାରେ ଏକଦା ୧୦୮ ଠାକୁରଙ୍କ ଦୋଳ ବିମାନର ମେଳଣ ହେଲା । ତେବେ ବର୍ତ୍ତମାନ ୭୪ରୁ ୭୫ ଦୋଳ ମେଳଣରେ ସାମିଲ ହେଉଛନ୍ତି ।
ମାନସିକ କରୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଲା ଓ ସେମାନେ ଯାତ୍ରାକୁ ବଳିଷ୍ଠ କରିବାରେ ଲାଗିଲେ । ଦିନେ ଏମିତି ସମୟ ଆସିଲା ଏହାକୁ କିଛି ଲୋକ ମାନସିକ ମେଳଣ ବୋଲି କହିବା ଆରମ୍ଭ କରିଥିଲେ । କାରଣ ମେଳଣ ପଡ଼ିଆରେ ବସା ବାନ୍ଧି ରହିଛି । ତେଣୁ ଜମାଣ ଠାରୁ ମେଳଣ ପର୍ଯ୍ୟନ୍ତ ୫ଦିନ ଯାଏଁ ଏହି ମେଳଣ ପଡ଼ିଆରେ ଭକ୍ତଙ୍କ ସମାଗମ ହୁଏ । ଜମାଣ ଦିନ ରାତିରେ ଆକାଶ ଯେମିତି ଆତସବାଜି ଧୂଆଁରେ ଧୂମାୟିତ ହୁଏ ସେଥିରୁ ତାରା ହଜିଯାଏ । ମେଳଣ ଦିନ ସେହିପରି ଆକାଶ ଫଗୁ ବା ଅବିର ରଙ୍ଗରେ ଧୂସରିତ ହୋଇପଡ଼େ ।
ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମେଳଣ ଖୁଣ୍ଟି ସ୍ଥିତ ବିମାନରୁଢ଼ ହୋଇଥିବା ଠାକୁରଙ୍କୁ ଫଗୁ ଫୋପାଡ଼ି ମାନସିକ ମନାସି ଥାଆନ୍ତି । ଏହି ମେଳଣ କୃଷକ, କୃଷି ଉପକରଣ କିଣିବା ପାଇଁ ଅନେକ ଯାତ୍ରାକୁ ଅପେକ୍ଷା କରୁଥିଲେ । ହେଲେ ଏବେ ସମୟ ବଦଳି ଯାଇଛି । ତଥାପି ମେଳଣ ଅବସରରେ ଗୋରୁହାଟ, ରୋଦ୍ର, ଡୋଲି ଓ ବାଉଁଶ ତିଆରି ଆସବାବପତ୍ରର ସମାଗମ ଏଠାରେ ଦେଖିବାକୁ ମିଳେ । ଲୋକେ ପୁଅ ଝିଅ ବାହାଘର ପାଇଁ ଜିନିଷପତ୍ର କିଣାବିକା ସକାଶେ ଏହି ଯାତ୍ରାକୁ ଚାହିଁ ରହୁଥିଲେ । ଗାଁ ଗହଳିର କୁଟୀର ଶିଳ୍ପ ଓ କାରିଗରମାନେ ଏହି ଯାତ୍ରା ଉପରେ ନିର୍ଭର କରୁଥିଲେ । ଆଜି କିନ୍ତୁ ସମୟ ବଦଳିଛି ।
ଦୀର୍ଘ ଦୁଇମାସ ଧରି ଚାଲୁଥିବା ଏହି ଯାତ୍ରା ମାତ୍ର ଦିନ କେଇଟାରେ ସରିଯାଉଛି । ଆଜି ସିନା ସେତେବେଳର ବ୍ୟବସାୟ ନାହିଁ ହେଲେ କର୍ପୁର ଉଡ଼ିଯାଇଥିବା କନା ଭଳି ପଡ଼ିରହିଛି ଯାତ୍ରା ଓ ମେଳଣ । ଏହି ଯାତ୍ରା ଓ ମେଳଣ ପଡ଼ିଆରେ ବିମାନସ୍ଥିତ ସୋମନାଥଙ୍କୁ ଅବିର ବୋଲି ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତଙ୍କ ଗହଳିରେ କିଛି ପରିବ ର୍ନ ହୋଇନାହିଁ । ରାଜ୍ୟ ସରକାର ଚାହିଁଲେ ଏହା ଏକ ମହୋତ୍ସବରେ ମାନ୍ୟତା ପାଆନ୍ତା । ଏହି ମେଳା ସମୟରେ ଏଠାରେ ରାଜ୍ୟ ସରକାର ହସ୍ତଶିଳ୍ପ ମେଳାର ଆୟୋଜନ କରନ୍ତେ ତେବେ ଆହୁରି ସରସ, ସୁନ୍ଦର ହେବା ସହ ଭାଇଚାରାର ନିଦର୍ଶନ କହୁଥିବା ଏହି ଦୋଳ ମେଳଣ ଅଧିକ ବଳିଷ୍ଠ ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
ତେବେ ଗତ କିଛିବର୍ଷ ହେଲା ସ୍ଥାନୀୟ ଯୁବକ ସଂଗଠନ ଓ ମେଳଣ କମିଟି କ୍ଷରୁ ମେଳଣ ଅବସରରେ ହରିରାଜ ପୁର ମହୋତ୍ସବର ଆୟୋଜନ କରାଯାଉଛି । ରାଜ୍ୟର ପ୍ରମୁଖ ବ୍ୟକ୍ତିବିଶେଷ ଏହି ମହୋତ୍ସବରେ ଯୋଗଦେବା ସହିତ ରାଜଧାନୀ ଉପକଣ୍ଠର ଏହି ପ୍ରସିଦ୍ଧ ମେଳଣ ସମ୍ପର୍କରେ ମଧ୍ୟ ଅବଗତ ହୋଇପାରୁଛନ୍ତି । ଚଳିତବର୍ଷ ମେଳଣକୁ ଅଧିକ ଆକର୍ଷଣ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ବୋଲି ହରିରାଜପୁରର ପୂର୍ବତନ ସରଞ୍ଚ ତଥା ମେଳଣ କମିଟିର ସଂପାଦକ ପ୍ରସନ୍ନ ମହାରଥୀ ପ୍ରକାଶ କରିଛନ୍ତି ।
କୁଦିଆରୀ,ଜଟଣୀ : ଶ୍ରୀ ହରପ୍ରସାଦ ଦାସ
No Result
View All Result