ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଉପସ୍ଥିତିରେ ରାଜୀବ ଭବନଠାରେ ରାଜ୍ୟରେ ବିଭିନ୍ନ ନଦୀରେ ଜଳ ପ୍ରବାହ ଓ ସମ୍ଭାବ୍ୟ ବନ୍ୟାସ୍ଥିତିର ଅନୁଧ୍ୟାନ କରିଛନ୍ତି । ବୈଠକରୁ ଜଣାଯାଇଛି ଯେ , ହୀରାକୁଦ ଜଳଭଣ୍ଡାରର ୪୦ଟି ଗେଟ୍ ଖୋଲା ରହିଛି । ଏହା ଦ୍ୱାରା ମୁଣ୍ଡୁଳି ଠାରେ ପ୍ରାୟ ୧୦ ଲକ୍ଷ ୫୦ ହଜାର କୁ୍ୟସେକ୍ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି ।
ଥିତିକୁ ଦେଖି ପର୍ଯ୍ୟାୟକ୍ରମେ ଗେଟ୍ଗୁଡ଼ିକ ବନ୍ଦ କରାଯିବ । ଜଳ ପ୍ରବାହକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ନଦୀବନ୍ଧ ପ୍ରତି ସତର୍କ ଦୃଷ୍ଟି ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀ ଓ ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀରୁ ଧିରେ ଧିରେ ଜଳସ୍ତର କମୁଛି । ବ୍ରାହ୍ମଣୀ ନଦୀର ଜଳସ୍ତର ଖୁବ୍ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
ମନ୍ତ୍ରୀ ଶ୍ରୀ ଦାସ ବିଭିନ୍ନ ନଦୀରେ ଅଧିକ ଜଳ ପ୍ରବାହିତ ହେବା ଯୋଗୁଁ ହୋଇଥିବା ଘାଇ ସଂପର୍କରେ ପଚାରି ବୁଝିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ ଓ ଅନ୍ୟାନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ନଦୀଗୁଡ଼ିକରେ ଜଳ ପ୍ରବାହ ସ୍ଥିତି ଓ ବିଭାଗୀୟ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ ।














