No Result
View All Result
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଜିପି ଶ୍ରୀ ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ୨୪ତମ ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା ଚାମ୍ପିୟନଶିପ୍ ୨୦୨୪-୨୫ରେ ଓଡ଼ିଶା ପୋଲିସକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ୫ଟି ସ୍ୱର୍ଣ୍ଣ ପଦକ, ୧ ଟି ରୌପ୍ୟ ପଦକ, ୪ଟି କାଂସ୍ୟ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଏହା ସହ ତ୍ରିପୁରା ଠାରେ ଆୟୋଜିତ ହୋଇଥିବା 73 ତମ ସର୍ବ ଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍ ରେ ଓଡ଼ିଶା ପୋଲିସ ମହିଳା ଫୁଟବଲ ଟିମ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

ସେହିପରି ପଞ୍ଜାବର ଜଳନ୍ଧର ଠାରେ ଆୟୋଜିତ ହୋଇଥିବା ସର୍ବ ଭାରତୀୟ ପୋଲିସ କବାଡି କ୍ଲଷ୍ଟର ଓଡିଶା ପୋଲିସର ଜିମ୍ନାଷ୍ଟ ସୀତାକାନ୍ତ ଓଝା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଅବସରରେ ଡିଜିପି ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ାରେ ପ୍ରତ୍ଯେକ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 5 ହଜାର ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ 3 ହଜାର ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ 2 ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

ଏହି ପଦକ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ପୋଲିସ କମିଶନର ଶ୍ରୀ ଏସ. ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସମେତ ଟିମ ମ୍ୟାନେଜର, ପ୍ରଶିକ୍ଷକ ଓ ଖେଳାଳୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result