No Result
View All Result
୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ମିଷ୍ଟ୍ରି ଅଫ୍ ମଦର୍ସ୍ (ମମ୍) ଟ୍ରଷ୍ଟ୍ ତଥା କମିଶନରେଟ ପୁଲିସ୍ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ “ୱମ୍ୟାନ୍ ବିହାଇଣ୍ଡ୍ ଦ ଖାକି” କାର୍ଯକ୍ରମ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ପୋଲିସ୍ ପରିବାରର ସଦସ୍ୟମାନେ ନିଜର ପ୍ରତିଭା ନାଚ-ଗୀତ ମାଧ୍ଯମରେ ପ୍ରଦର୍ଶନ କରିଥିଲେ। ଦେଶ ଓ ସମାଜର ସୁରକ୍ଷା ପାଇଁ ତତ୍ପର ରହୁଥିବା ପୋଲିସ ପରିବାରର ସଦସ୍ୟ, ବିଶେଷକରି ମହିଳା, ମାନଙ୍କ ଚିତ୍ତବିନୋଦନ ପାଇଁ ଏହି ଦିନଟି ଉଦ୍ଦିଷ୍ଟ ଥିଲା ।
ଏହି ଅବସରରେ ପୋଲିସ୍ ପରିବାରର ସଫଳ ତଥା ତ୍ୟାଗପୁତ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଦିବଙ୍ଗତ ହୋମ୍ ଗାର୍ଡ୍ କିଶୋର ଚନ୍ଦ୍ର ଖୁଣ୍ଟିଆଙ୍କୁ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମରଣୋପରାନ୍ତ ସମ୍ମାନ ତଥା ତାଙ୍କ ପରିବାରକୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ତାହା ଛଡ଼ା, ମହର୍ଷି କଲେଜ୍ର ରେଡକ୍ରସ୍ ଓ ଏନ୍.ସି.ସି. ଟିମ୍ର ସଦସ୍ୟ/ସଦସ୍ୟା ତଥା ମମ୍ ଟ୍ରଷ୍ଟ୍ର ସଭ୍ୟ/ସଭ୍ୟା ଓ ସ୍ୱେଚ୍ଛାସେବୀ ମାନଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ ତଥା ଟ୍ରଫି ପ୍ରଦାନ କରାଯାଇଥୁଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମହିଳା କମିଶନ୍ର ଡେପୁଟି ସୁପରିଟେଣ୍ଡେଣ୍ଟ୍ ଶ୍ରୀମତୀ ବିଜୟିନୀ ସିଂ ତଥା ମୁଖ୍ୟ ବକ୍ତା ହିସାବରେ ଭୁବନେଶ୍ୱର ମହିଳା ପୁଲିସ ଥାନାର ସବ୍-ଇନ୍ସ୍ପେକ୍ଟର୍ ଶ୍ରୀମତୀ ଶୁଭଦର୍ଶିନୀ ନାୟକ ଏବଂ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ଃ ସୁଚେତା ପ୍ରିୟବାଦିନୀ ନିଜର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ମମ୍ ଟ୍ରଷ୍ଟ୍ର ମୂଖ୍ୟା ଶ୍ରୀମତୀ ସୁଜାତା ନାୟକ କାର୍ଯକ୍ରମର ଆଭିମୁଖ୍ୟ ତଥା ଟ୍ରଷ୍ଟ୍ର କାମ ବିଷୟରେ ନିଜର ସ୍ବାଗତ ଭାଷଣରେ ବର୍ଣ୍ଣନା କରିଥିଲେ ।
ଆବାହକ ହିସାବରେ ଶ୍ରୀ ଏନ୍.ପି. କାନୁନଗୋ କାର୍ଯ୍ୟକ୍ରମର ସୁଚାରୁରୂପେ ଦେଖରେଖ କରିଥିଲେ । ସୁଶ୍ରୀ ସ୍ମୃତିସୁଧା ସାହୁ ଓ ଶ୍ରୀ ସତ୍ୟ ନାରାୟଣ ବିଶ୍ବାଳ ସଭା ପରିଚାଳନା କରିଥିବା ବେଳେ ମମ୍ ଟ୍ରଷ୍ଟି ଶ୍ରୀମତୀ ହେମଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସୋଟେକ୍, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ରେଆର୍ ଅର୍ଥ ଲିଃ ଏବଂ ପାରାଦୀପ ପୋର୍ଟ ଅଥରିଟି ପ୍ରାୟୋଜିତ କରିଥିଲେ । ୨୦୦ରୁ ଉର୍ଦ୍ଧ ଅଂଶଗ୍ରହଣକରୀ ଦିନ ତମାମ ଏହି ରଙ୍ଗାରଙ୍ଗ କାର୍ଯକ୍ରମକୁ ଉପଭୋଗ କରିଥିଲେ ।
No Result
View All Result