No Result
View All Result
୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଥର୍ମାଲ୍ ସ୍ପ୍ରେ କନଫରେନ୍ସ୍ ଭବିଷ୍ୟତ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଆଜି ସିଏସ୍ଆଇଆର (କାଉନ୍ସିଲ୍ ଅଫ୍ ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ) – ଆଇଏମ୍ଏମ୍ଟି (ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମେଟେରିଆଲସ୍ ଟେକ୍ନୋଲୋଜି) ଓ ଇଣ୍ଡିଆନ୍ ଥର୍ମାଲ ସ୍ପ୍ରେ ଆସୋସିଏସନର ମିଳିତ ସହଯୋଗରେ ସିଏସ୍ଆଇଆର – ଆଇଏମ୍ଏମ୍ଟି ଅଡିଟୋରିଅମ୍,

ଭୁବନେଶ୍ୱରଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ଥର୍ମାଲ୍ ସ୍ପ୍ରେ କନ୍ଫରେନ୍ସକୁ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଆମେ ଯେଉଁ ଯୁଗରେ ଅଛୁ ସେଠାରେ ସ୍ଥାୟିତ୍ୱ ଏବଂ ଦକ୍ଷତା କେବଳ ଲକ୍ଷ ନୁହେଁ ବରଂ ଶିଳ୍ପର ପ୍ରଗତି ପାଇଁ ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ମହାକାଶରୁ ଓ ଅଟୋମୋଟିଭ କ୍ଷେତ୍ର, ସ୍ୱାସ୍ଥ୍ୟରୁ ଶିଳ୍ପ ଏଭଳି ବିଭିନ୍ନ କ୍ଷେତ୍ରରେ ଥର୍ମାଲ ସ୍ପ୍ରେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ପଦାର୍ଥ / ବସ୍ତୁର ସ୍ଥାୟିତ୍ୱ ବୃଦ୍ଧି କ୍ଷେତ୍ରରେ ଆବରଣ ଅପଚୟ ହ୍ରାସ କରିବା, ସମ୍ବଳର ସଂରକ୍ଷଣ ଏବଂ ଶିଳ୍ପ ଦକ୍ଷତା ଉନ୍ନତି କରିବାରେ ଥର୍ମାଲ ସ୍ପ୍ରେ ମହତ୍ୱପୂର୍ଣ୍ଣ ଅବଦାନ ରଖେ । ଏହି କନ୍ଫରେନ୍ସ ଜ୍ଞାନ ଆଦାନପ୍ରଦାନ, ସହଯୋଗ ଏବଂ ନବସୃଜନ ପାଇଁ ଥର୍ମାଲ ସ୍ପ୍ରେ କ୍ଷେତ୍ରରେ ଏକ ପ୍ଲାଟଫର୍ମ ଭଳି କାର୍ଯ୍ୟ କରିବ ବୋଲି ରାଜ୍ୟପାଳ କହିଥିଲେ । ଆୟୋଜକମାନଙ୍କର ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରି କହିଥିଲେ ଯେ ଓଡ଼ିଶାରେ ବିପୁଳ ଖଣିଜ ସଂପଦ ଏବଂ ଶିଳ୍ପର ଇକୋସିଷ୍ଟମ୍ ଥିବାରୁ ଥର୍ମାଲ ସ୍ପ୍ରେ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେଲେ ରାଜ୍ୟ ଲାଭବାନ ହେବ ।

ଏହି ଜାତୀୟ ଥର୍ମାଲ ସ୍ପ୍ରେ କନ୍ଫରେନ୍ସରେ ଭାରତ ଓ ବିଦେଶର ଶିକ୍ଷା, ଶିଳ୍ପ ଏବଂ ଗବେଷଣା ପ୍ରତିଷ୍ଠାନର ବିଶେଷଜ୍ଞମାନେ ଏକତ୍ରିତ ହୋଇ ଫଳପ୍ରଦ ଆଲୋଚନାରେ ସାମିଲ ହୋଇ ନୂଆ ଚିନ୍ତାଧାରା ବାଂଟିବେ ଏବଂ ଯୁଗାନ୍ତକାରୀ ଗବେଷଣାକୁ ଆଗକୁ ବଢାଇବେ ଯାହାଦ୍ୱାରା ଶିଳ୍ପ ଏବଂ ସମାଜ ପାଇଁ ଲାଭଦାୟକ ହେବ ବୋଲି ରାଜ୍ୟପାଳ କହିଥିଲେ । ସିଏସ୍ଆଇଆର – ଆଇଏମ୍ଏମ୍ଟି ଅନୁଷ୍ଠାନ ରାଜ୍ୟର ଏକ ପୁରୁଣା ଗବେଷଣା ସଂସ୍ଥା ।

ଏହାର ହୀରକ ଜୟନ୍ତୀ ପାଳନ କରିବା ଗୌରବର କଥା ବୋଲି ରାଜ୍ୟପାଳ କହିବା ସହିତ ଦୀର୍ଘ ଛଅ ଦଶନ୍ଧି ଧରି ବୈଜ୍ଞାନିକ ଗବେଷଣା, ଭୌତିକ ବିଜ୍ଞାନ, ଧାତୁ ବିଜ୍ଞାନ ଏବଂ ଖଣିଜ ପ୍ରକ୍ରିୟାକରଣରେ ଅପାର ଅବଦାନ ରଖିଛି ବୋଲି କହିଥିଲେ । ଏହି ସମାରୋହ ଅନୁଷ୍ଠାନର ଉତ୍କର୍ଷ ଐତିହ୍ୟ ସମ୍ମିଳନୀର ଉଦ୍ଦେଶ୍ୟ ସହିତ ସମନ୍ୱିତ ହୋଇ ଜ୍ଞାନକୁ ଆଗକୁ ବଢ଼ାଇବା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଶିଳ୍ପ ରୂପାନ୍ତରଣକୁ ଆଗେଇ ନେବ ବୋଲି ରାଜ୍ୟପାଳ ଡ. କମ୍ଭମ୍ପାଟି କହିଥିଲେ ।

ଏହି ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶାରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ସିଏସ୍ଆଇଆର – ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଣ୍ଡିଆନ ଥର୍ମାଲ ସ୍ପ୍ରେ ଆସୋସିଏସନ୍ର ଅଧ୍ୟକ୍ଷ ପ୍ରଫେସର ହରପ୍ରୀତ ସିଂହ, ଆଇଆଇଟି ପାଟନାର ନିର୍ଦ୍ଦେଶକ ପ୍ରଫେସର ଟି.ଏନ୍. ସିଂହ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଆବାହକ ଡ. ଶିଶିର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

No Result
View All Result