୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଦାୟିତ୍ୱପୂର୍ଣ୍ଣ ଗାଡ଼ିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ବାଇକ ରାଲି ଓ ସିଗ୍ନେଚର କ୍ୟାମ୍ପେନର ଆୟୋଜନ କରାଯାଇଛି । ଡାଇରେକ୍ଟୋରେଟ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମଇଟି) ଓ ଜିକିତ୍ସା ହେଲଥ କେୟାର ଲିମିଟେଡ (ଜେଡଏଚଏଲ) ଜେନପ୍ଲସ ପ୍ରାଇଭେଟ ଲିମିଟେଡ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିକାରୀ, କର୍ମଚାରୀ, ବାଇକର ଓ ସଡକ ସୁରକ୍ଷା ସମର୍ଥନକାରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

ପ୍ରଫେସର (ଡଃ) ୟୁ.କେ. ଶତପଥୀ, ଏମ୍ଡି, ଆଡିସନାଲ ଡିଏମଇଟି, ଓଡିଶା, ପତାକା ଦେଖାଇ ଏହି ରାଲିକୁ ଆରମ୍ଭ କରିଥିଲେ ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ୟସ୍ତବହୁଳ ଜୋନଗୁଡିକରେ ସୁରକ୍ଷାର ମହତ୍ୱ ଉପରେ ଆଲୋକପାତ କରିବା ପାଇଁ ଏହି ରାଲି ଡିଏମଇଟି କାର୍ଯ୍ୟାଳୟ-ନତାଲା, ଏଜି ଛକ, ରାମ ମନ୍ଦିର, ରୁପାଲି ଛକ ଓ ନାଲ୍କୋ ଛକ ଭଳି ଅଧିକ ଟ୍ରାଫିକ ଥିବା ସ୍ଥାନଗୁଡିକ ଦେଇ ଅତିକ୍ରମ କରିଥିଲା। ଏହି ଅବସରରେ ଡିଏମଇଟିର ନିର୍ଦ୍ଦେଶକ ପ୍ରଫେସର (ଡ. ) ସନ୍ତୋଷ କୁମାର ମିଶ୍ର ଏବଂ ଜେନପ୍ଲସର ଓଡ଼ିଶା ମୁଖ୍ୟ ଶେଖ ହବିବୁର ରେହମାନ ଉପସ୍ଥିତ ଥିଲେ ।

ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାଗୁଡିକର ପରିପ୍ରେକ୍ଷୀରେ, ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷିତ ସଡ଼କ ଯାତାୟାତ ପାଇଁ ସମୁଦାୟକୁ ଏକାଠି କରିବାର ବାର୍ତାକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର (ଡଃ) ୟୁ.କେ. ଶତପଥୀ କହିଛନ୍ତି, “ ପ୍ରତିବର୍ଷ ୪୦ରୁ ୪୫% ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତି ନିଜର ଜୀବନ ହରାଉଛନ୍ତି ଏବଂ ଏଥିରେ ଯୁବପିଢ଼ି ସର୍ବାଧିକ ପ୍ରଭାବିତ ହେଉଛନ୍ତି । ଏହା ଆମ ସମାଜ ପାଇଁ ଏକ ବଡ଼ କ୍ଷତି ।

ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ସୁରକ୍ଷା ଏବଂ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଲୋକମାନେ ରାସ୍ତାରେ ଯିବା ସମୟରେ ନିଜର ଦାୟିତ୍ୱକୁ ନିଶ୍ଚିତ ଭାବେ ବୁଝିବା ଆବଶ୍ୟକ । ଏହି ରାଲି ଅନ୍ୟମାନଙ୍କୁ ସଡ଼କ ସୁରକ୍ଷା ନିୟମଗୁଡିକୁ ଗମ୍ଭୀରତାର ସହ ଅନୁପାଳନ କରିବା ପାଇଁ ଅନୁପ୍ରାଣିତ କରିବାକୁ ଲକ୍ଷ୍ୟ ରଖିଛି । ୩୦ଟି ଜିଲ୍ଲାରେ ୮୯ଟି ନୋଟିଫାଏଡ ଟ୍ରମା କେୟାର ସେଂଟର ରହିଛି । ଏହାଛଡ଼ା ପ୍ରତ୍ୟେକ ଆମ୍ବୁଲାନ୍ସକୁ ନିକଟସ୍ଥ ସେଂଟରକୁ ପରିବହନ କରିବା ସମୟରେ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ସ୍ଥିର ରଖିବା ପାଇଁ ଫାର୍ଷ୍ଟ ପଏଂଟ ଟ୍ରମା ଫ୍ୟାସିଲିଟି ଭାବେ ବିବେଚନା କରାଯାଉଛି ।”
ଜେନ୍ପ୍ଲସ ପ୍ରାଇଭେଟ ଲିମିଟେଡର ସିଇଓ ନରେଶ ଜୈନ ସଡ଼କ ସୁରକ୍ଷାର ମହତ୍ୱକୁ ବ୍ୟାଖ୍ୟା କରି କହିଛନ୍ତି, “ଏହା କେବଳ ଏକ କ୍ୟାମ୍ପେନ ନୁହେଁ ; ଏହା କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସାମୂହିକ ପ୍ରୟାସ ଅଟେ । ଆସନ୍ତୁ ଶୂନ ମୃତ୍ୟୁହାର ପାଇଁ ଲକ୍ଷ୍ୟ ରଖିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସଡ଼କ ସୁରକ୍ଷା ନିଶ୍ଚିତ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା l ଏହି ପଦକ୍ଷେପ ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସକୁ ଗ୍ରହଣ କରିବା ପାଇଁ ବ୍ୟକ୍ତିବିଶେଷ, ସମୁଦାୟ ଓ ସଂସ୍ଥାଗୁଡିକୁ ପ୍ରୋତ୍ସାହିତ କରିଛି, ଯାହା ଏକ ସୁରକ୍ଷିତ ଓ ଅଧିକ ଦାୟିତ୍ୱସମ୍ପନ୍ନ ସମାଜରେ ଯୋଗଦାନ ଦେଇପାରିବ ।














