No Result
View All Result
୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମାଲକାନଗିରି ଜିଲ୍ଲାରୁ ୭୧ ଜଣ ରାୟଗଡ଼ା ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସରୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ନବରଂଗପୁର ଲୋକସଭା ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ସମସ୍ତ ତୀର୍ଥ ଯାତ୍ରୀଙ୍କ ସୁଖଦ ଯାତ୍ରା ପାଇଁ ସମସ୍ତ ବରିଷ୍ଠ ନାଗରିକଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ମନୁଷ୍ୟ ଜୀବନ କାଳ ମଧ୍ୟରେ ପୁଣ୍ୟ ତୀର୍ଥ କ୍ଷେତ୍ର ପରିଦର୍ଶନ କରିବାର ପରମ୍ପରା ରହି ଆସିଛି। ବରିଷ୍ଠ ନାଗରିକ ତୀର୍ଥ ଯୋଜନା ମାଧ୍ୟମରେ ଜିଲ୍ଲାର ୭୧ ଜଣ ବରିଷ୍ଠ ନାଗରିକଙ୍କ କୋଲକାତା ଓ ଆସାମ ରାଜ୍ୟର ଗୌହାଟୀ ନିକଟବର୍ତ୍ତୀ କମାକ୍ଷୀ ଶକ୍ତିପୀଠ ପରିଦର୍ଶନର ସ୍ବପ୍ନ ପୂରଣ ହୋଇପାରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।
ସେମାନଙ୍କ ନିମନ୍ତେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ଯ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ୭୧ ଜଣଙ୍କ ମଧ୍ୟରୁ ୩୩ ଜଣ ପୁରୁଷ ରହିଥିବା ବେଳେ ୩୮ ଜଣ ମହିଳା ତୀର୍ଥ ଯାତ୍ରୀ ରହିଛନ୍ତି। ଆଜି ସମସ୍ତ ଯାତ୍ରୀ ରାୟଗଡ଼ା ପହଞ୍ଚିବା ପରେ ସେଠାରେ ବିଶ୍ରାମ କରିବେ ଓ ଆସନ୍ତାକାଲି ରାୟଗଡ଼ା ରେଳ ଷ୍ଟେସନରୁ ତୀର୍ଥ କ୍ଷେତ୍ର ଅଭିମୁଖେ ବାହାରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉକ୍ତ ଟ୍ରେନରେ ସେମାନଙ୍କ ସୁବିଧା ପାଇଁ ମେଡିକାଲ ବ୍ୟବସ୍ଥା, ଗାଇଡ, ଖାଦ୍ୟ ପାନୀୟ ସମେତ ସମସ୍ତ ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଏସକର୍ଟ ଅଧିକାରୀ ଭାବେ ସଦର ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଓ ରାଜସ୍ଵ କର୍ମଚାରୀ ରବୀନ୍ଦ୍ରନାଥ ନାୟକ ସାଥିରେ ଗସ୍ତ କରିଛନ୍ତି। ବିଶେଷ ଭାବେ ଆର୍ଥିକ ଭାବେ ଦୁର୍ବଳ ଥିବା ବରିଷ୍ଠ ନାଗରିକ ଏହି ଯୋଜନା ମାଧ୍ୟମରେ ତୀର୍ଥ ଯାତ୍ରା କରିବାର ସୁଯୋଗ ପାଇଥାନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ, ରଞ୍ଜନ ମହାନ୍ତି ଓ ସନ୍ତୋଷ ବିଶ୍ୱାସ ସହଯୋଗ କରିଥିଲେ।

No Result
View All Result