୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ରାଜ୍ୟର ୩୦ ଗୋଟି ଜିଲ୍ଲା ସାମିଲ ହୋଇଥିଲେ। ସେହି କ୍ରମରେ ଆଜି ଜିଲ୍ଲା ଓ ସଦର ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ,
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅପହଞ୍ଚ ଗ୍ରାମରେ ବିକାଶ ପହଞ୍ଚିବ ଏବଂ ଜନ ସଧାରଣ ମୌଳିକ ସେବା ପାଇ ପାରିବେ। ଏଥିରେ ଗ୍ରାମ ସଭାକୁ ଗୁରୁତ୍ବ ଦିଆଯାଇଛି। ଯାହା ଫଳରେ ସମସ୍ତଙ୍କର ଭାଗିଦାରୀ ରହିବ। ସେହିପରି ଗୋଦାବରୀଶ ଆଦର୍ଶ ଶିକ୍ଷା ଯୋଜନା ମାଧ୍ୟମରେ ପ୍ରତି ଗ୍ରାମ ପଞ୍ଚାୟତରେ ଉତ୍ତମ ଭିତ୍ତିଭୂମି ଓ ଶୈକ୍ଷିକ ବାତାବରଣ ଥିବା ବିଦ୍ୟାଳୟ ପ୍ରତିଷ୍ଠା ହେବ। ଯାହା ଫଳରେ ମାଲକାନଗିରି ଭଳି ଜିଲ୍ଲାରେ ବସବାସ କରୁଥିବା ଜନଜାତି ସମୁଦାୟ ଲାଭାନ୍ଵିତ ହେବେ ବୋଲି ମନ୍ତ୍ରୀ ଉଦବୋଧନ ଦେଇଛନ୍ତି।
ଏହି ଯୋଜନାରେ ୫ ବର୍ଷ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେବ। ଏଥି ନିମନ୍ତେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବାର୍ଷିକ ୧ ହଜାର କୋଟି ଖର୍ଚ୍ଚ କରାଯିବ। ଯାହାର ୪୦ ପ୍ରତିଶତ ଅର୍ଥାତ୍ ୪୦୦ କୋଟି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ଜନଜାତିଙ୍କ ବିକାଶରେ ବିନିଯୋଗ ହେବ। ବିଶେଷ ଭାବେ ୩୫ ପ୍ରତିଶତ ଅର୍ଥ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ। ସର୍ବ ପ୍ରଥମେ ସମସ୍ତ ପ୍ରକଳ୍ପ ଗ୍ରାମ ସଭାରେ ଅନୁମୋଦନ ପରେ ପଞ୍ଚାୟତ ସମିତିର ବୈଷୟିକ ଟିମ୍ ଦ୍ବାରା ଅନୁମୋଦନ ହେବ ।
ଏହି ଟିମ୍ ଗାଇଡଲାଇନ ଅନୁଯାୟୀ ବାର୍ଷିକ ଏକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବେ ଓ ତାପରେ ଜିଲ୍ଲାପାଳଙ୍କ ଅନୁମୋଦନ ହେବ । ଏହା ଦ୍ବାରା ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ହେବ। ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି। ସେହିପରି କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତିକରଣ ହେବ। ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣକୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି। ଏହି ଯୋଜନାରେ ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟାନ୍ଵୟନ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଳ୍ଲାର ସମସ୍ତ ବ୍ଲକ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ହ୍ୱିଲ ଚେୟାର ପ୍ରଦାନ କରିଥିଲେ। ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନେ ଏଥିରେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୌରୀ ପଡ଼ିଆମି, ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତ୍ରିନାଥ ମାଝୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପନ ସେନାପତି ଉପସ୍ଥିତ ଥିଲେ। ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ ଜନ ପ୍ରତିନିଧି ମଧ୍ଯ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।