୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ବୋଲଗଡ ବ୍ଲକର ଚମ୍ପାଇଲୋ ସଂଲଗ୍ନ ସାନବାଡ଼ ଗ୍ରାମରେ ଆଜି ନେତାଜୀ ଜୟନ୍ତୀ ପାଳନ ଅବସରରେ ମେଘମହ୍ଲାର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତାପସ ରଞ୍ଜନ ପାଢ଼ୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ।
ମୁଖ୍ୟବକ୍ତା ଭାବରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଘର ସଂଗଠନ ସମ୍ପାଦକ ଶିବନାରାୟଣ ମିଶ୍ର, ସମ୍ମାନିତଅତିଥି ଭାବରେ ଡ଼କ୍ଟର ପ୍ରିୟମ୍ବଦା ଦାଶ, ପରିବେଶବିତ୍ ଧନେଶ୍ୱର ବିଧାର, ରଣପୁର ବିଇଓ ବନଲତା ବେହେରା, ସଂଗୀତଜ୍ଞ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ଡ଼କ୍ଟର ବିଭୂତି ଭୂଷଣ ଦଳାଇ ପ୍ରମୁଖ ଯୋଗଦାନ କରିଥିଲେ। ମଧ୍ୟାହ୍ନରେ ଆୟୋଜିତ କବିତା ଆସରକୁ ସଂସ୍କୃତି ସଂଯୋଜକ କୃତିବାସ ରଥ ଓ କବି ଭକ୍ତବଲ୍ଲଭ ପଟ୍ଟନାୟକ କବିତା ସଂଯୋଜନା କରିଥିଲେ ।
ରଣପୁର, ନିରାକାରପୁର ଓ ସ୍ଥାନୀୟ ଶିଶୁ କଳାକାରମାନେ ନୃତ୍ୟସଂଗୀତ ପରିବେଷଣ କରିଥିଲେ । ସାହିତ୍ୟ, ଗଣମାଧ୍ୟମ, ଲୋକକଳା, ସଂଗୀତ, ପରିବେଶ ସୁରକ୍ଷା ଓ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୨୦ ଜଣ ପ୍ରତିଭାଙ୍କୁ ମାନପତ୍ର ଉପାୟନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଡ଼କ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଉପସଭାପତି ବାସୁଦେବ ବରାଡ଼ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














