No Result
View All Result
– ବିଜେତାଙ୍କୁ ପୁରସ୍କୃତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
– ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ
– ଭାଗନେଲେ ୩୦ ଜିଲ୍ଲାର ୭୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ
୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର (ୟାଟ୍ସ) ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ୩୦ ଜଣ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଟାଟା ଷ୍ଟିଲ୍ ପକ୍ଷରୁ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୭୧,୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
କୃତି ପ୍ରତିଯୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି ଯେ, “୧୮୩୫ ମସିହାରେ ନୟାଗଡ ଖଣ୍ଡପଡାର ପଠାଣି ସାମନ୍ତ ଦୁଇ ଖଣ୍ଡ ବାଉଁଶ ନଳୀରେ ମହାକାଶ ରେ ଗ୍ରହ ନକ୍ଷତ୍ରର ଗତିବିଧିକୁ ଲକ୍ଷ୍ୟ କରି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ନିର୍ଦ୍ଧାରଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ସେହିଭଳି ଜ୍ୟୋତିର୍ବିଜ୍ଞାନର ଜନକ ଆର୍ଯ୍ୟଭଟ୍ଟ ପ୍ରଥମେ ନିର୍ଣ୍ଣୟ କରିଥିଲେ ପୃଥିବୀ ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ କରୁଛି।
ବ୍ରହ୍ମଗୁପ୍ତଙ୍କ ଗଣିତ, ବରାହମିହିରଙ୍କ ବୃହତ ସଂହିତା, ଭାସ୍କରଙ୍କ ସିଦ୍ଧାନ୍ତ ଶିରୋମଣୀ, ଭାରତ ଜ୍ୟୋତିର୍ବିଜ୍ଞାନକୁ ଋଦ୍ଧିମନ୍ତ କରିଛି। ଆଧୁନିକ ଜଗତରେ ଯେତେବେଳେ ବି ମହାକାଶ ବିଜ୍ଞାନର ଚର୍ଚ୍ଚା ହେବ, ଭାରତୀୟ ସଂସ୍କୃତିର ଅବଦାନ ବିନା ଏହା ଅସମ୍ପୂର୍ଣ୍ଣ ରହିବ ବୋଲି ସେ କହିଥିଲେ। ସେ ଆହୁରି ପୁଣି କହିଥିଲେ ଯେ, ବିଶ୍ୱର ପ୍ରଥମ ପାଞ୍ଚ ଗୋଟି ମହାକାଶ ବିଜ୍ଞାନରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଆମ ଦେଶ ଭାରତ ରହିଛି।
ଆଜି ବିଜ୍ଞାନ ଯୁଗରେ ଆମ ବୈଜ୍ଞାନିକମାନେ ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ପୃଥିବୀର ଉଭୟ ପାର୍ଶ୍ୱକୁ ମିଶାଇ ପ୍ରାୟ ୯୩ ନିୟୁତ ଆଲୋକ ବର୍ଷ ପରିମିତ ଅଞ୍ଚଳକୁ ନିରିକ୍ଷଣ କରିପାରୁଛନ୍ତି। ଆମ ବିଜ୍ଞାନ ଆଜି ଏତେ ଅଗ୍ରଗତି କରିଛି ଯେ, ଆଗାମୀ ଦିନରେ ଅନ୍ୟ ଗ୍ରହରେ ଜୀବନର ସତ୍ତା ମଧ୍ୟ ଖୋଜି ପାଇବାରେ ସକ୍ଷମ ହେବେ ବୋଲି ମୋର ବିଶ୍ୱାସ।
ଚନ୍ଦ୍ରଯାନ-୨, ଗଗନଯାନ, ଆଦିତ୍ୟ-L-1 ପରି ଐତିହାସିକ ଘଟଣା ଆମ ବିଶ୍ୱାସକୁ ଦୃଢିଭୂତ କରିଛି। ଭାରତ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଯାନ ପହଞ୍ଚାଇବାରେ ବିଶ୍ୱର ପ୍ରଥମ ଦେଶ । ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୫ ସୁଦ୍ଧା ଭାରତର ନିଜସ୍ୱ Space Station ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ପ୍ରଥମ ଭାରତୀୟଙ୍କୁ ପଠାଇବା ପାଇଁ ଘୋଷଣା କରିଛନ୍ତି।
ଏହି ଦୁଇ ପ୍ରକଳ୍ପରେ ବୈଜ୍ଞାନିକ ଭାବେ ସାମିଲ ହେବା ପାଇଁ ସେ ଉପସ୍ଥିତ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ ପାଇଁ ଇସ୍ରୋ ପରିଦର୍ଶନରେ ଯିବେ।
କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଭାରତ ବର୍ଷରେ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ପ୍ରସିଦ୍ଧ ସ୍ଲୋଗାନ ‘ଜୟ ଯବାନ ଜୟ କିଷାନ’ ରେ ‘ଜୟ ବିଜ୍ଞାନ’ ଶବ୍ଦ ଯୋଡି ଥିଲେ ଅଟଳ ବିହାରୀ ବାଜପେୟୀ ।
ଚନ୍ଦ୍ରାୟଣ-୩ ହେଉଛି ଭାରତ ବର୍ଷର ସଫଳତା । ଏହି ସଫଳତା ବିଶ୍ୱର କୌଣସି ଦେଶ ଏପର୍ଯ୍ୟନ୍ତ ପାଇ ନାହାନ୍ତି। ସେ କିହଥିଲେ ଯେ, ଆଜି ଏଠାରେ ସମ୍ବର୍ଦ୍ଧିତ ହୋଇଥିବା ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ହେଉଛନ୍ତି ଆମ ଦେଶର ଶକ୍ତି। ସେମାନେ ଯେତେ ଆଗକୁ ବଢିବେ ଆମ ରାଜ୍ୟ ସେତିକି ଗୌରବାନ୍ୱିତ ହେବ ଏବଂ ଦେଶ ଶକ୍ତିଶାଳୀ ହେବ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଠାଣି ସାମନ୍ତଙ୍କ ସମ୍ମାନାର୍ଥେ ଖଣ୍ଡପଡାଠାରେ ଗୋଟିଏ ପ୍ଲାନେଟୋରିୟମ ଏବଂ Astro Physics & Astronomy Institute ପ୍ରତିଷ୍ଠା କରାଯିବ ବୋଲି କହିଥିଲେ । ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଉତ୍ସୁକତା ସୃଷ୍ଟି କରିବା ଓ ନବସୃଜନକୁ ସୁଦୃଢ଼ କରିବା ଲାଗି ଟାଟା ଷ୍ଟିଲ୍ର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପସଭାପତି (ଅପରେସନ୍ସ) ରାଜୀବ କୁମାର କହିଛନ୍ତି ଯେ,
“ଟାଟା ଷ୍ଟିଲ୍ ୟାଟ୍ସର ୧୮ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଯୁବପିଢ଼ିଙ୍କ ମଧ୍ୟରେ ଅସୀମ ସମ୍ଭାବନା ଓ ବିଜ୍ଞାନ ପ୍ରତି ସେମାନଙ୍କ ଉଚ୍ଚ ଅଭିଳାଷକୁ ପ୍ରୋତ୍ସାହନ କରୁଛି । ଟାଟା ଷ୍ଟିଲ୍ ୟାଟ୍ସ ପାଖାପାଖି ଦୁଇ ଦଶନ୍ଧି ଧରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ସେମାନଙ୍କ ଉତ୍ସାହ ବୃଦ୍ଧି କରିବା ସହ ଜୋତିର୍ବିଜ୍ଞାନରେ ଅନ୍ୱେଷଣ ଏବଂ ବିଜ୍ଞାନରେ କ୍ୟାରିୟର ଗଢିବା ଲାଗି ଅନୁପ୍ରାଣିତ କରୁଛି ।
ଓଡ଼ିଶା ସରକାରଙ୍କ ସହଯୋଗିତାରେ ଆମେ ହଜାର ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛୁ ଏବଂ ପ୍ରତିଭାର ଚିହ୍ନଟ କରିପାରିଛୁ । ସମସ୍ତ ଅଂଶଗ୍ରହଣକାରୀ, ବିଶେଷ କରି ବିଜେତାମାନଙ୍କୁ ଅନେକ ଶୁଭେଚ୍ଛା । ଏକ ଆକର୍ଷଣୀୟ ଯାତ୍ରାର ଏହାର ଆରମ୍ଭ ମାତ୍ର । ଆସନ୍ତୁ ସ୍ୱପ୍ନକୁ ଉଜାଗର କରିବା ଏବଂ ଏଭଳି ଏକ ଭବିଷ୍ୟତ ଗଠନ କରିବା, ଯେଉଁଠାରେ ନବସୃଜନ ଓ ଉତ୍କର୍ଷ ସଫଳ ହେବ ।’’
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସଫଳତା ନେଇ ଟାଟା ଷ୍ଟିଲ୍ ୟାଟ୍ସ ୧୮ତମ ସଂସ୍କରଣର ବିଷୟବସ୍ତୁ ଥିଲା ‘ମହାକାଶ ଆପଣଙ୍କ ପରବର୍ତ୍ତୀ ଗନ୍ତବ୍ୟ ସ୍ଥଳ କି?’ । ଆଜି ସମ୍ବର୍ଦ୍ଧିତ ହୋଇଥିବା ବିଜେତାମାନଙ୍କୁ ଇସ୍ରୋ ପରିଦର୍ଶନ କରିବାର ସ୍ୱତନ୍ତ୍ର ସୁଯୋଗ ମିଳିବ ଯେଉଁଠାରେ ସେମାନେ ମହାକାଶ ବିଜ୍ଞାନୀଙ୍କ ସହ ପ୍ରତ୍ଯେକ୍ଷ ଭାବେ ଆଲୋଚନା କରିପାରିବେ ଏବଂ ମହାକାଶ ଜଗତ ଅନ୍ୱେଷଣ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ।
ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଉପ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ର ଭରପ୍ରାପ୍ତ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା ଉପସ୍ଥିତ ଥିଲେ ।
ଏହି ଅବସରରେ ଇସ୍ରୋର ପୂର୍ବତନ ପ୍ରୋଗ୍ରାମ ଡାଇରେକ୍ଟର ଓ ଆଡଭାନ୍ସଡ ଡାଟା ପ୍ରୋସେସିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପୂର୍ବତନ ନିର୍ଦ୍ଦେଶିକା ଡକ୍ଟର ଗୀତା ବରଦାନ ଓ ଗାଲାକ୍ସଆଇର ଇଞ୍ଜିନିୟରିଂ ଉପସଭାପତି କିସନ ଠକ୍କର ଉପସ୍ଥିତ ଥିଲେ । ଏବେସୁଦ୍ଧା ଜ୍ୟୋତିର୍ବିଜ୍ଞାନ ପ୍ରତି ଉତ୍ସାହୀ ଥିବା ରାଜ୍ୟର ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହୋଇଛି ଟାଟା ଷ୍ଟିଲ ୟାଟ୍ସ । ବିଗତ ବର୍ଷଗୁଡ଼ିକରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଇସ୍ରୋ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି 

No Result
View All Result