No Result
View All Result
କଟକ ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ଟାଙ୍ଗିଆ ବାହାରିଲା
୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଅଞ୍ଚଳର ବିବେକ କହଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଟାଙ୍ଗିଆ ବାହାର କରାଯାଇଛି । ବିଭାଗୀୟ ଡାକ୍ତର ପ୍ରତାପ ଶତପଥୀ ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି।
ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦେଇଛନ୍ତି ଏସସିବି ନ୍ୟୁରୋସର୍ଜରୀ ବିଭାଗ ଡାକ୍ତର ରୋସନ ମେହେର। ଏହାସହ ଯେତେବେଳେ ବିବେକ ଏସସିବିରେ ପହଞ୍ଚିଥିଲେ ସେହି ସମୟରେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା । ମୁଣ୍ଡରୁ ରକ୍ତସ୍ରାବ ସାଙ୍ଗକୁ ବହୁତ ଯନ୍ତ୍ରଣାରେ ଥିଲେ। ଏପିରିକି ଅସ୍ତ୍ରୋପଚାର ସମୟରେ ଜଣେ ଡାକ୍ତର ସେହି ଟାଙ୍ଗିଆକୁ ଧରି ରଖିଥିଲେ। ଅନେକ ସମୟ ଧରି ଚାଲିଥିଲା ଅପରେସନ।
ବିବେକଙ୍କ ପତ୍ନୀ ମମତା ଦେଇଥିବା ସୂଚନା ଅନୁଯାୟୀ, ବିବେକଙ୍କ ବାପା ଓ ଦୁଇ ଜଣ ଯୁବକ ଘରେ ନିଶା ପାନ କରିବା ସମୟରେ ବଡ଼ ଧରଣର ବଚସା ହୋଇଥିଲା। ଏହି ସମୟରେ ବିବେକ କହଁର ଝଗଡ଼ା ରୋକିବା ପାଇଁ ପ୍ରୟାସ କରିବା ସମୟରେ ମୁଣ୍ଡକୁ ଟାଙ୍କିଆରେ ଆକ୍ରମଣ କରିଥିଲେ ତାଙ୍କ ନିଶାସକ୍ତ ବାପା। ଘଟଣା ସ୍ଥଳରେ ଗୁରୁତର ହୋଇପଡ଼ିଥିଲେ ବିବେକ। ପ୍ରଥମେ ନିକଟସ୍ଥ ଟିକାବାଲି ହସ୍ପିଟାଲ ପରେ ଏମକେସିଜି ଓ ଶେଷରେ ଏସସିବି ମେଡିକାଲରେ ଶନିବାର ସକାଳେ ଭର୍ତ୍ତି ହୋଇଥିଲେ ବିବେକ। ବିଳମ୍ବିତ ରାତିରେ ଅସ୍ତ୍ରୋପଚାର ଶେଷ ହେବାପରେ ବିବେକ ବିପଦମୁକ୍ତ ରହିଥିବା କହିଛନ୍ତି ଡାକ୍ତର।
No Result
View All Result