No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶେରଗଡ଼/ହିଞ୍ଜିଳିକାଟୁ :-> ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତି, ଅନିୟମିତତା ଓ ସରପଞ୍ଚ ରାମ ରାଘବ ପାତ୍ରଙ୍କ ମନମୁଖୀ ତଥା ବେଆଇନ କାର୍ଯ୍ୟ କଳାପକୁ ବିରୋଧ କରି ପଞ୍ଚାୟତର ୱାର୍ଡ ସଭ୍ୟ ଓ ସଭ୍ୟା ମାନେ ଶୁକ୍ରବାର ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ନାଏବ ସରପଞ୍ଚ ରେଣୁ ଦାସଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତ୨୬ତାରିଖରେ ପିତଳ ମା ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ନାଏବ ସରପଞ୍ଚ ରେଣୁ ଦାସଙ୍କ ଅଧ୍ୟକ୍ଷତାରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଦୀର୍ଘ ଦିନ ହେଲା ସରପଞ୍ଚ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ବୈଠକରେ ସେମାନଙ୍କ ଦସ୍ତଖତ ପକାଇ ପ୍ରସ୍ତାବ ବିଷୟରେ ଆଦୌ ଜଣାଉ ନ ଥିବା ଅଭିଯୋଗ କରିଥିଲେ। ସରପଞ୍ଚ ବିଭିନ୍ନ ସମୟରେ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ଅନ୍ଧାରରେ ରଖି ଉନ୍ନୟନ ମୂଳକ କାର୍ଯ୍ୟ କାର୍ଯ୍ୟକାରୀ କରିବା । ସାମାଜିକ ଜନ କଲ୍ୟାଣକାରୀ ଯୋଜନାରେ ଆସୁଥିବା ସହାୟତା ରାଶିକୁ ମନ୍ଦ ଉଦ୍ଦେଶ୍ୟ ରଖି ଯୋଗ୍ୟ ହିତାଧିକାରୀଙ୍କୁ ଅର୍ଥ ପାଇବାରୁ ବଞ୍ଚିତ କରିବା । ନିଜେ ଜଣେ ଜନ ପ୍ରତିନିଧି ହେଇ ମଧ୍ୟ ପିତଳ ଠାରେ ନିର୍ମାଣ ହେଉଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ନିଜ ସ୍ବାର୍ଥ ହାସଲ ଉଦ୍ଦେଶ୍ୟରେ ଶେରଗଡ଼ ତହସିଲଦାରଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ପଞ୍ଚାୟତର ସମ୍ମାନ କ୍ଷୁର୍ଣ୍ଣ କରିବା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପଞ୍ଚାୟତରେ ହୋଇଥିବା ଉନ୍ନୟନ ପ୍ରକଳ୍ପରେ ମୃତ ବ୍ୟକ୍ତିଙ୍କୁ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଦର୍ଶାଇ ତାଙ୍କ ଜମା ଖାତାକୁ ମଜୁରୀ ପଠାଇବା ।
ୱାର୍ଡ଼ ସଭ୍ୟ କିମ୍ୱା ସଭ୍ୟା କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଜାଣିବାକୁ ଚେଷ୍ଠା କଲେ ସରପଞ୍ଚ ସେମାନଙ୍କୁ ଦୁର୍ବ୍ୟବହାର କରି ଧମକ ଦେବା। ସରପଞ୍ଚ ଭାବେ ନିର୍ବାଚିତ ହେବା ଦିନ ଠାରୁ ପଞ୍ଚାୟତର ନିରୀହ ଲୋକଙ୍କୁ ଧମକ ଦେବା ସହ କିଛି ଲୋକଙ୍କୁ ମାରପିଟ କରି ହିଞ୍ଜିଳି ଓ ଆସିକା ଥାନାରେ ତାଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହେବା। ୱାର୍ଡ଼ ସଭ୍ୟ ଓ ସଭ୍ୟା ନିର୍ବାଚିତ ପ୍ରତିନିଧି ହୋଇଥିଲେ ମଧ୍ୟ ସରପଞ୍ଚ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରିବା ଭଳି ବିଭିନ୍ନ ପ୍ରସଙ୍ଗ ନେଇ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ନାଏବ ସରପଞ୍ଚ ରେଣୁ ଦାସଙ୍କ ନେତୃତ୍ୱରେ କେ.କମଳ ଲୋଚନ,ସଞ୍ଜୟ କୁମାର ପ୍ରଧାନ, ନୀଳାମ୍ବର ପ୍ରଧାନ, ସ୍ଵପ୍ନା ରାଣୀ ମିଶ୍ର, ବିଜୟା ରାଣୀ ମିଶ୍ର, ରଶ୍ମିତା ଜେନା, ମାମି ସେନାପତି ଓ ଝୁମୁରୀ ମହାନ୍ତି ପ୍ରମୁଖ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଏକ ସ୍ୱାକ୍ଷର ସମ୍ବଳିତ ଦରଖାସ୍ତ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

No Result
View All Result