୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ,ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନଙ୍କ ସହିତ ସକାଳୁ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା।ପୁର୍ଣ୍ଣିମା ଉପଲକ୍ଷେ ବୋଇତ ବନ୍ଦାଣର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରାର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ବେଶ ଉତ୍ସବ ମୁଖର ହୋଇପଡିଥିବାର ଲକ୍ଷ୍ୟ କରାଯାଇଥିଲା। ଦର୍ଶକମାନଙ୍କ ମଧ୍ୟରେ ବୋଇତ ଭସାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପ୍ରକାଶ ପାଇଥିଲା।ବଢ଼ି ଭୋରରୁ ପୂଜାରୀମାନେ ମୁଖ୍ୟ ମନ୍ଦିର ମଧ୍ୟରେ ଚାରିଦିଅଁଙ୍କର ସାମନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ଫୁଆରାର ପୋଖରୀ କୂଳରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତଟିକୁ ପୂଜା କରାଯାଇଥିଲା। ଉପସ୍ଥିତ ମହିଳାମାନେ ବୋଇତର ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରିଥିଲେ।
ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପତ୍ନୀ ମୃଦୁଳା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଆୟୋଜକ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନଙ୍କର ତତ୍ତ୍ୱାବଧାନରେ ଆଗନ୍ତୁକ ଅତିଥି ଅଭ୍ୟାଗତମାନଙ୍କ ଦ୍ୱାରା ପାରମ୍ପରିକ ଢଙ୍ଗରେ ‘ଆ-କା-ମା-ବୈ’ ଧ୍ୱନୀ ଉଚ୍ଚାରଣ କରାଯିବା ସହିତ ସୁଶୋଭିତ ବୋଇତଟିର ଯାତ୍ରା ଶୁଭାରମ୍ଭ ହୋଇଥିଲା I ସମଗ୍ର ଗଗନ ପବନ ହରିବୋଲ, ହୁଳହୁଳି ଏବଂ ଶଙ୍ଖଧ୍ଵନୀ, ଭଜନ-କୀର୍ତ୍ତନର ସୁଲଳିତ ସ୍ୱର ଝଙ୍କାର ତଥା ଘଣ୍ଟ, ଝାଞ୍ଜ ଓ ମୃଦଙ୍ଗ ଆଦି ବାଦ୍ୟର ଘୋରଘର୍ଘର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା। ଓଡ଼ିଆ ଜାତିର ମାନ, ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ବୋଇତଟି ଫୁଆରାର ଚତୁଃପାର୍ଶ୍ୱରେ ପରିଭ୍ରମଣ କରିବାର ଦୃଶ୍ୟ ବେଶ ଅନନ୍ୟ ଓ ଅବିସ୍ମରଣୀୟ ଥିଲା। ଅତୀତରେ ଓଡ଼ିଶାର ସାଧବ ପୁଅମାନେ ସୁଦୂର ଜାଭା, ସୁମାତ୍ରା ,ବାଲି ଓ ବୋର୍ଣ୍ଣିଓ ଆଦି ଦ୍ବୀପକୁ ବେପାର ବଣିଜ ପାଇଁ ଯାତ୍ରା କରୁଥିବାର ସାଙ୍କେତିକ ଝଲକ ଏଠାରେ ମିଳିଥିଲା।